ନିଜ ନିଷ୍ପତି ଉପରେ ପୁନଃର୍ବିଚାର କରିବାକୁ ଇସାରା ଦେଲେ ଶରଦ ପାୱାର । କହିଲେ, ଶୁକ୍ରବାର କର୍ମୀଙ୍କ ବିଶ୍ୱାସ ଉପରେ ନେବେ ନିଷ୍ପତି

244

କନକ ବ୍ୟୁରୋ : ଏନସିପି ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେବାର ଦୁଇ ଦିନ ପରେ ବି କିଏ ଦଳ ମଙ୍ଗ ଧରିବ ତାହା ଏବେ ଯାଏ ସ୍ଥିର ହୋଇନାହିଁ । ଏହାରି ଭିତରେ ତାଙ୍କ ଇସ୍ତଫାକୁ ବିରୋଧ କରୁଥିବା ଦଳୀୟ ନେତା ଓ କର୍ମୀଙ୍କୁ ମୁମ୍ବାଇରେ ଭେଟିଛନ୍ତି ପାୱାର । ଦଳର ଭବିଷ୍ୟତ ପାଇଁ ସେ ଏଭଳି ନିଷ୍ପତି ନେଇଥିବା କହିଛନ୍ତି । ଏନସିପିର କିଏ ମଙ୍ଗ ଧରିବ ସେନେଇ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟି ଶେଷ ନିଷ୍ପତି ନେବ ବୋଲି କହିଛନ୍ତି ପାୱାର । ଶରଦ ପାୱାରଙ୍କ ଝିଅ ସୁପ୍ରିୟ ସୁଲେଙ୍କୁ ଦଳର ମୁଖିଆ କରିବାକୁ ମଧ୍ୟ କିଛି ଦଳୀୟ ନେତା ପ୍ରସ୍ତାବ ଦେଇଛନ୍ତି । ଏହାରି ଭିତରେ କଂଗେସ ନେତା ରାହୁଲ ଗାନ୍ଧୀ ସୁପ୍ରିୟଙ୍କୁ ଫୋନ କରି କଥା ହୋଇଥିବା ସୂଚନା ମିଳିଛି । ଶରଦ ପାୱାରଙ୍କ ପୁତୁରା ତଥା ଦଳର ବରିଷ୍ଠ ନେତା ଅଜିତ୍ ପାୱାରଙ୍କ ସମର୍ଥନରେ ଏନସିପିର ୫୪ରୁ ୩୪ ବିଧାୟକ ଅଛନ୍ତି । ଅଜିତ୍ ପାୱାରଙ୍କ ନେତୃତ୍ୱରେ ଏନସିପି ବିଜେପି ସହ ମେଂଟ କରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରି ସ୍ଥଳେ ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଂଟ ଭାଙ୍ଗିବ ନା ରହିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।