ମା’ଙ୍କ କଥା କହି କାନ୍ଦି ପକାଇଲେ ସାରା: କହିଲେ ‘ ୧୦ ବର୍ଷ ହେବ ହସିନାହାଁନ୍ତି ମା’

261

କନକ ବ୍ୟୁରୋ: ବଲିଉଡରେ ପ୍ରବେଶ କରି କେଦାରନାଥ , ସିମ୍ବା, ଲଭ୍ ଆଜକଲ, କୁଲି ନଂ-୧ ଆଦି ଚଳଚ୍ଚିତ୍ର ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ସାରା ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ କହୁ କହୁ କହିଦେଇଛନ୍ତି ନିଜ ପରିବାରର ଦୁଃଖ କଥା ।

ମା’ ଅମ୍ରିତା ସିଂହ ଓ ବାପା ସୈଫ ଅଲ୍ଲୀ ଖାନଙ୍କ ସମ୍ପର୍କରେ ସାରା ମୁହଁ ଖୋଲିଛନ୍ତି । ସାରା କହିଛନ୍ତି ଯେ,ସେ ପ୍ରାୟ ୧୦ ବର୍ଷ ହେଲା ତାଙ୍କ ମା’ଙ୍କ ମୁହଁରେ ହସ ଦେଖିନାହାଁନ୍ତି । ବାପା ସୈଫ୍ ଓ ଅମ୍ରିତାଙ୍କ ମଧ୍ୟରେ ସାମାନ୍ୟ ମଧୁର ସମ୍ପର୍କ କେବେ ଦେଖିନଥିବା କହିଛନ୍ତି ସାରା । କେବଳ ଦୁଇ ଜଣଙ୍କ ମଧ୍ୟରେ ଛାଡପତ୍ର ବିନମୟ ଓ ପରସ୍ପର ଠାରୁ ଅଲଗା ହୋଇ ରହିବାକୁ ସେ ଦେଖିଆସିଛନ୍ତି । ବାପା ଓ ମା’ଙ୍କ ନିରଶ ଜୀବନକୁ ସାରା ଖୁବ୍ ପାଖରୁ ଦେଖିଆସିଛନ୍ତି । ୧୯୯୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୈଫ୍ ଓ ଅମ୍ରିତାଙ୍କର ଦୁଇ ସନ୍ତାନ । ସାରା ଓ ପୁଅ ଇବ୍ରାହିମଙ୍କୁ ନେଇ ରହୁଛନ୍ତି ଅମ୍ରିତା । ହେଲେ ବାପା, ମା’ଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଯୋଗୁଁ ସେ ଓ ତାଙ୍କ ଭାଇ ଇବ୍ରାହିମଙ୍କ ପିଲାବେଳ ଭାରି ଦୁଃଖରେ ବିତିଛି ବୋଲି କହିଛନ୍ତି ସାରା ।

୨୦୦୪ରେ ଅମ୍ରିତାଙ୍କୁ ଛାଡପତ୍ର ଦେବା ପରେ କରୀନା କପୁରଙ୍କ ବିବାହ କଲେ ସୈଫ୍ । ଏହା ଭିତରେ କରିନା ମଧ୍ୟ ୨ଟି ସନ୍ତାନଙ୍କ ଜନନୀ ହୋଇସାରିଛନ୍ତି । ଅମ୍ରିତାଙ୍କ ସହ ତାଙ୍କର ସିଧାସଳଖ ସମ୍ପର୍କ ନଥିଲେ ବି ସାରା ଓ ଇବ୍ରାହିମଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ସୈଫ୍ । ଏକ ସାକ୍ଷାତକାରରେ ସାରା କହିଛନ୍ତି ଯେ, ‘ ମୁଁ ପିଲାବେଳୁ ମାନସିକ ଭାବେ ପ୍ରଗାଢ ଅନୁଭବୀ । କାରଣ ଗୋଟିଏ ଛାତ ତଳେ ରହୁଥିବା ମୋ ବାପା ଓ ମା’ କିପରି ପରସ୍ପରକୁ ଭଲ ପାଆନ୍ତି ନାହିଁ ତାହା ମୁଁ ଦେଖିଛି । ଯେବେଠାରୁ ତାଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇଗଲା ସେବେଠାରୁ ସେମାନେ ଅଲଗାଅଲଗା କୋଠରୀରେ ରହୁଥିଲେ । ମା’ଙ୍କ ମୁହଁରେ ପାଖାପାଖି ୧୦ ବର୍ଷ ହେବ ସେ ଖୋଲା ହସ ଟିକେ ଦେଖିପାରିନାହାଁନ୍ତି । ହେଲେ ଦୀର୍ଘ ୧୦ ବର୍ଷ ପରେ ଏବେ ଆମ ସାଙ୍ଗରେ ଟିକେ ହସିବାର ମୁଁ ଦେଖୁଛି । ଆମ ସହ ଥଟ୍ଟାମଜା କରୁଛନ୍ତି । ବାପାଙ୍କ ଆଭିଜାତ୍ୟକୁ ନେଇ ମୁଁ ଯେତିକି ଖୁସି ନୁହେଁ ତାଠାରୁ ମା’ଙ୍କ ଅଭିନୟ ରାସ୍ତାରେ ଚାଲିପାରିଥିବାରୁ ର୍ମୁଁ ବହୁତ ଖୁସି’ ବୋଲି ସାକ୍ଷାତକାରରେ କହିଛନ୍ତି ସାରା ଅଲ୍ଲି ଖାନ୍ ।