ମୁମ୍ବାଇ ଆସିଲେ ସାରା, କାଲି ଦୀପିକାଙ୍କୁ ହେବ ଜେରା । ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ କାଲି ଏନସିବିରେ ହାଜର ହେବେ ଦୀପିକା ପାଦୁକୋନ ।

495

କନକ ବ୍ୟୁରୋ : ଏନସିବିର ସମନ ପାଇବା ପରେ ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ଅଭିନେତ୍ରୀ ସାରା ଅଲ୍ଲି ଖାନ୍ । ଅଭିନେତା ସୈଫ ଅଲି ଖାନ୍ ଓ ଅଭିନେତ୍ରୀ ଅମ୍ରିତା ସିଂଙ୍କ ଝିଅ ସାରା ଅଲି ଖାନଙ୍କ ନାଁ ଡ୍ରଗ୍ସ ଲିଙ୍କରେ ପଦାକୁ ଆସିଛି । ଏନସିବି ତାଙ୍କୁ ପଚରା ଉଚରା ପାଇଁ ସମନ ପଠାଇବା ପରେ ଗୋଆରୁ ଆସି ମୁମ୍ବାଇରେ ପହଂଚିଛନ୍ତି ସାରା । ବିମାନବନ୍ଦରରେ ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଗୋଆ ଏୟାରପୋର୍ଟରେ ମିଡିଆକୁ ଦେଖି ମୁହଁ ଲୁଚାଇଥିଲେ ସାରା । ତାଙ୍କୁ ୨୬ ତାରିଖରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଗରେ ହାଜର ହେବାକୁ ପଡିବ ।

ମିଳିଥିବା ସୂଚନା ଅନୁସାରେ ସାରାଙ୍କ ବିରୋଧରେ ଏନସିବି ହାତରେ ଅନେକ ସୁରାଗ ଲାଗିଛି । ସେହି ଆଧାରରେ ସାରାଙ୍କୁ ଡ୍ରଗ୍ସ ଲିଙ୍କ ବାବଦରେ ପଚରା ଉଚରା କରିବାକୁ ଚାହୁଁଛି ତଦନ୍ତକାରୀ ସଂସ୍ଥା । ଏନସିବି ହାତରେ ଗିରଫ ରିଆ ଚକ୍ରବର୍ତୀ ମଧ୍ୟ ସାରାଙ୍କ ନାଁ ନେଇଥିଲେ । ରିଆ ଏନସିବିକୁ କହିଥିଲେ,
ରିଆ ନେଇଥିଲେ ସାରାଙ୍କ ନାଁ
– ସାରା ଅଲି ଓ ସୁଶାନ୍ତ ସିଂ ଏକାଠି ସ୍ମୋକ କରୁଥିଲେ
– ପାୱନା ଡ୍ୟାମ ଫାର୍ମ ହାଉସରେ ନେଉଥିଲେ ଡ୍ରଗ୍ସ
– ସୁଶାନ୍ତଙ୍କ ଫାର୍ମ ହାଉସରେ ଦୁହେଁ କରୁଥିଲେ ପାର୍ଟି
– ‘କେଦାରନାଥ’ର ସୁଟିଂ ସେଟରେ ‘ୱିଡ’ ନେଉଥିଲେ

ସୁଶାନ୍ତଙ୍କ ସହ କେଦାରନାଥ ଫିଲ୍ମରୁ ବଲିଉଡରେ ଅଭିନୟ ଆରମ୍ଭ କରିଥିଲେ ସାରା ଅଲି ଖାନ । ସୁଟିଂ ସମୟରେ ଦୁହେଁ ପରସ୍ପରର ନିକଟତର ହେବାସହ ସୁଶାନ୍ତଙ୍କ ପାୱନା ଡ୍ୟାମ ଫାର୍ମ ହାଉସରେ ଏକାଠି ଡ୍ରଗ୍ସ ପାର୍ଟି କରୁଥିଲେ । ସୁଶାନ୍ତ କେସ ସହ ସଂପୃକ୍ତ ରିଆ ଚକ୍ରବର୍ତୀ, ଜୟା ଶାହା, ଶ୍ରୁତି ମୋଦି, କରିଶ୍ମା ପ୍ରକାଶ ଓ ଡ୍ରଗ୍ସ ପେଡଲରମାନେ ବଲିଉଡରେ ଡ୍ରଗ୍ସ ନେଉଥିବା ଏକାଧିକ କଳାକାରଙ୍କ ନାଁ ନେଇଥିବା କୁହାଯାଉଛି । ୫୦ରୁ ଅଧିକ ବଲିଉଡ ସେଲିବ୍ରିଟି ଏବେ ଏନସିବି ରାଡାରରେ ଥିବା ଚର୍ଚ୍ଚା ହେଉଛି ।

ସେହିପରି ବଲିଉଡର ଏ-ଲିଷ୍ଟରେ ଥିବା ସେଲିବ୍ରିଟି ଅଭିନେତ୍ରୀ ଦୀପିକା ପାଦକୋନଙ୍କୁ ମଧ୍ୟ ପଚରା ଉଚରା କରିବ ଏନସିବି । ତାଙ୍କର ଏକ ଡ୍ରଗ୍ସ ଚାଟ୍ ପଦାକୁ ଆସିବା ପରେ ଦୀପିକାଙ୍କୁ ସମନ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । କ୍ୱାନ ସେଲିବ୍ରିଟି ମ୍ୟାନେଜମେଂଟ କମ୍ପାନିର ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଦୀପିକା ନିଷିଦ୍ଧ ଡ୍ରଗ୍ସ ହେସ ମାଗୁଥିବା ଏହି ହ୍ୱାଟ୍ସଆପ ଚାଟରୁ ଜଣାପଡିଛି । ୨୦୧୭ର ଏହି ଚାଟ୍ ବାବଦରେ ଅଧିକ ତଥ୍ୟ ପାଇଁ ତାଙ୍କୁ ୨୫ ତାରିଖରେ ପଚରା ଉଚରା କରିବ ଏନସିବି । ତଦନ୍ତକାରୀ ସଂସ୍ଥାର ସମନ ପାଇବା ପରେ ଦୀପିକା ବିଚଳିତ ହୋଇପଡିଥିବା କୁହାଯାଉଛି । ନିଜ ପକ୍ଷ ରଖିବା ପାଇଁ ଏହି ଟପ୍ ଅଭିନେତ୍ରୀ ୧୨ ଜଣ ଓକିଲଙ୍କ ସହ ଯୋଗାଯୋଗ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଡ୍ରଗ୍ସ କନେକ୍ସନରେ ଦୀପିକାଙ୍କ ନାଁ ଆସିବା ପରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଆସନ୍ତୁ ଜାଣିବା ନିଷିଦ୍ଧ ଡ୍ରଗ୍ସ କାରବାରରେ ସଂପୃକ୍ତି ପ୍ରମାଣ ହେଲେ ଏନଡିପିଏସ ଆକ୍ଟ ୧୯୮୫ରେ କଣ ଦଣ୍ଡାଦେଶ ରହିଛି ।
ଦୀପିକାଙ୍କ ‘ଡ୍ରଗ୍ସ ଲୀଳା’, ପ୍ରମାଣ ହେଲେ ସଜା…
ସେକ୍ସନ ୨୦- ବି
– ଡ୍ରଗ୍ସ କିଣିବା, ବିକିବା କିମ୍ବା ସେବନ କରିବା ପାଇଁ ୧ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ।
ସେକ୍ସନ ୨୨
– ଅଳ୍ପ ମାତ୍ରାରେ ଡ୍ରଗ୍ସ କାରବାର କରୁଥିଲେ ୧ ବର୍ଷ ପାଇଁ ଜେଲ ଦଣ୍ଡାଦେଶ
– ଅଧିକ ମାତ୍ରାରେ ଡ୍ରଗ୍ସ କାରବାର କରୁଥିଲେ ୧୦ ବର୍ଷର ଜେଲ ଦଣ୍ଡାଦେଶ
– ଡ୍ରଗ୍ସ ରାକେଟ୍ ଚଳାଉଥିବା ଜଣାପଡିଲେ ୨୦ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ
ସେକ୍ସନ ୨୭- ଏ
– ନିଷିଦ୍ଧ ଡ୍ରଗ୍ସ କାରବାରକୁ ପ୍ରୋତ୍ସାହିତ କରୁଥିଲେ ୧୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ
– କୋର୍ଟ ଚାହିଁଲେ ୨ ଲକ୍ଷରୁ ଅଧିକ ଟଙ୍କା ଜରିମାନା ମଧ୍ୟ ଆଦାୟ କରିପାରନ୍ତି
ସେକ୍ସନ -୨୯
– ଡ୍ରଗ୍ସ ନେବାପାଇଁ ଉସୁକାଇବା ଅଭିଯୋଗ ପ୍ରମାଣ ହେଲେ ମଧ୍ୟ ସଜା ରହିଛି ।