ବଲିଉଡ୍ ସେଲିବ୍ରିଟିଙ୍କ ନିଶା ଛଡ଼ାଉଛି ଏନସିବି । ଡ୍ରଗ୍ସ ଲିଙ୍କରେ ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଘଂଟା ଘଂଟା ଜେରା, ଡ୍ରଗ୍ସ ଚାଟକୁ ମାନିଗଲେ ଦୀପିକା । ଏନସିବି ଆଗରେ ଡ୍ରଗ୍ସ ଲିଙ୍କଙ୍କୁ ଅସ୍ୱୀକାର କଲେ ଶ୍ରଦ୍ଧା କପୁର…କାଲି ପୁଣି ହୋଇପାରେ ଜେରା ।

485
କନକ ବ୍ୟୁରୋ: ବଲିଉଡ୍ ନିଶା କାହାଣୀକୁ ନେଇ ସାରା ଦେଶରେ ହଇଚଇ ହୋଇଥିବା ବେଳେ ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ମାରାଥନ ଜେରା କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ନାରକୋଟିକ୍ସ ବ୍ୟୁରୋର ଗେଷ୍ଟ ହାଉସରେ ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ ସାଢେ ୫ଘଂଟା କାଳ ଜେରାର ସମ୍ମୁଖୀନ ହେଲେ ଦିପିକା ପାଦୁକୋନ୍ । ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟ ନେଇ ପଚରାଉଚରା କରିଛି ଏନସିବି । ମାମଲା ସତ ଜାଣିବା ପାଇଁ କରିଶ୍ମା ପ୍ରକାଶ ଏବଂ ଦିପିକାଙ୍କୁ ସାମ୍ନା ସାମ୍ନି ଜେରା କରିଛନ୍ତି ଏନସିବିର ଏସଆଇଟି ଟିମ୍ । ଡ୍ରଗ୍ସ ଚାର୍ଟରେ ଦୀପିକାଙ୍କ ନାଁ ଆସିବା ପର ଠାରୁ ଏହି ଘଟଣା ଭିତରକୁ ଟାଣି ହୋଇଆସିଛନ୍ତି ଦୀପିକା । ତେବେ ପଚରାଉଚରା ବେଳେ ଏନସିବିର ୫ ଜଣିଆ ଟିମ୍ ଆଗରେ ଡ଼୍ରଗ୍ସ ଚାର୍ଟ ନେଇ ସତ ମାନିଛନ୍ତି ଦିପିକା ।
ବର୍ଷ ବର୍ଷ ଧରି କ୍ୟାମେରା ଆଗରେ ଭଳିକି ଭଳି ପୋଜ୍ ଦେଉଥିବା ବଲିଉଡ୍ର ମସ୍ତାନୀ ଗାର୍ଲ ଆଜି ସେହି କ୍ୟାମେରାରୁ ମୁହଁ ଫେରାଇନେଉଛନ୍ତି । ନା ମୁହଁରେ ହସ ଅଛି ନା ସେଲିବ୍ରିଟିର ସେହି ଅନ୍ଦାଜ । କାରଣ, ନିଶା କାରବାରରେ ଛନ୍ଦି ହୋଇପଡିଛନ୍ତି ବଲିଉଡର ନମ୍ବର ୱାନ୍ ନାୟିକା ଦୀପିକା ପାଦୁକୋନ୍ । ଦୀପିକାଙ୍କ ଘର ଆଗରେ ଅପେକ୍ଷା କରିଥିଲେ ଗଣମାଧ୍ୟମ । ହେଲେ , ସମସ୍ତଙ୍କଠାରୁ ଲୁଚିଛପି ହଠାତ୍ ଏନସିବି ଗେଷ୍ଟହାଉସରେ ଉଭା ହୋଇଥିଲେ ବଲିଉଡ୍ର ଏହି ଗ୍ଲାମର ଗାର୍ଲ । ..
ପୋଲିସର କଡା ପହରା ଭିତରେ ଦୀପିକାଙ୍କ ଗାଡି ଏନସିବି ଗେଷ୍ଟ ହାଉସ ଭିତରକୁ ଯାଇଥିଲା । ଆଉ ମାସ୍କ ପିନ୍ଧି ଗାଡି ଭିତରୁ ବାହାରି ସିଧା ଚାଲିଯାଇଥିଲେ ଜେରା ପାଇଁ । ଏପଟେ ପଚରାଉଚରା ପାଇଁ ପ୍ରସ୍ତୁତ ଥିଲେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ବିଗ୍ ଟିମ୍ । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ ସ୍ୱତନ୍ତ୍ର ଟିମ୍ । ତୁହାକୁ ତୁହା ପ୍ରଶ୍ନ ପଚାରା ଯାଇଥିଲା । ଦୀପିକାଙ୍କୁ ଏନ୍ସିବିର ପ୍ରଶ୍ନ ଥିଲା
– କରିସ୍ମାଙ୍କ ସହ ଡ୍ରଗ୍ସ ବାବଦରେ ଚାଟ୍ କରିଥିଲେ କି ନାହିଁ?
– କାହାଠାରୁ ଡ୍ରଗ୍ସ ମଗାଉଥିଲେ?
– କାହା ପାଇଁ ମଗାଉଥିଲେ ନା ନିଜେ ଡ୍ରଗ୍ସ ନେଉଥିଲେ?
– ପାର୍ଟିକୁ ଡ୍ରଗ୍ସ ଆସୁଥିଲା କେମିତି?
– କେଉଁ ମାନଙ୍କ ଜରିଆରେ ଡ୍ରଗ୍ସ ମଗାଉଥିଲେ?
– କେଉଁ ଡ୍ରଗ୍ସ ବ୍ୟବସାୟୀ ସହ ସମ୍ପର୍କ ରହିଛି କି?
ମିଳିଥିବା ସୂଚନା ଅନୁସାରେ, ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ୍କୁ ମାନିଯାଇଛନ୍ତି ଦୀପିକା । କହିଛନ୍ତି, ସେ କରିଶ୍ମା ସହ କଥା ହୋଇଛନ୍ତି । ଏପରିକି ହ୍ୱାଟ୍ସସଅପ୍ ଗ୍ରୁପରେ ସେ ଆଡମିନ୍ ଥିଲେ ବୋଲି ମଧ୍ୟ ଏନସିବି ଟିମକୁ ସେ ସୂଚନା ଦେଇଛନ୍ତି । ହେଲେ ଯାଂଚ ଅଧିକାରୀ ପଚାରିଥିବା ଅନେକ ପ୍ରଶ୍ନର ସନ୍ତୋଷଜନକ ଉତର ଦେଇନାହାଁନ୍ତି ଦୀପିକା । ..
ଦିନ ପ୍ରାୟ ୧୧ଟା ବେଳେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ଗେଷ୍ଟ ହାଉସରେ ପହଁଚିଯାଇଥିଲେ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ । ଆଉ ତାପରେ, କରିସ୍ମା ଓ ଦୀପିକାଙ୍କୁ ସାମ୍ମାସାମ୍ନି ବସାଇ ଜେରା କରିଥିଲେ ଯାଂଚ ଅଧିକାରୀ ।