ବିଜେଡିରେ ଯୋଗ ଦେଲେ ସନ୍ତୃପ୍ତ ମିଶ୍ର । କହିଲେ, ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ହୋଇଛି ସାମିଲ । ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ବଢିଲା ଚର୍ଚ୍ଚା ।

536

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ବିଶିଷ୍ଟ ଶିଳ୍ପପତି ସନ୍ତୃପ୍ତ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ସନ୍ତୃପ୍ତ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ । ଦଳରେ ସାମିଲ ହେବା ପରେ ସନ୍ତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ । ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି । କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଗକୁ ନେବା ସହ ମୌଳିକତା ଆଧାରରେ ୨୫ ବର୍ଷ ହେବ ଓଡ଼ିଶାର ଶାସନଭାର ସମ୍ଭାଳିଛନ୍ତି । ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ,ଏକାମ୍ର ପ୍ରକଳ୍ପ ଜରିଆରେ ଓଡ଼ିଶାରେ ଆଧ୍ୟାତ୍ମିକ ଭାବନା ଆଣିଛନ୍ତି ନବୀନ । ଏହା ଦେଖିବା ପରେ ମୁଁ ଅନେକ ପ୍ରେରଣା ପାଇଛି । ବିଜେଡିରେ ଯୋଗ ଦେଇଛି ଓଡ଼ିଶାବାସୀଙ୍କ ପାଇଁ ସେବା କରିବାକୁ ।

ରାଜ୍ୟସଭା ରେସରେ ନାଁ ଥିବା ନେଇ ସନ୍ତୃପ୍ତ କହିଛନ୍ତି, ଏବେ କିଛି ସମୟ ପୂର୍ବରୁ ମୁଁ ଦଳରେ ସାମିଲ ହୋଇଛି । ଯାହା କାମ ଦିଆଯିବ ତାହା କରିବି । ୨୮ ବର୍ଷ ହେବ ଉଦ୍ୟୋଗରେ କାମ କରିଛି । ଉଦ୍ୟୋଗରେ ଯାହା କାମ ଦିଆଯାଏ ତାହାକୁ ଶୃଙ୍ଖଳାର ସହ କରିବାକୁ ପଡିଥାଏ । ଠିକ୍ ସେହିଭଳି ବିଜେଡିରେ ଯେଉଁ କାମ ଦିଆଯିବ ତାହାକୁ ଶୃଙ୍ଖଳାର ସହ କରିବି । ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସନ୍ତୃପ୍ତଙ୍କୁ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସନ୍ତୃପ୍ତଙ୍କ ଜନ୍ମସ୍ଥାନ ପୁରୀ ବୀରପ୍ରତାପପୁର ହୋଇଥିବା ବେଳେ ଦୀର୍ଘଦିନ ହେବ ଦେଶର ବଡ ଉଦ୍ୟୋଗରେ ଉଚ୍ଚପଦବୀରେ କାମ କରି ଆସୁଥିଲେ । ଗତ ମାସକ ତଳେ ସନ୍ତୃପ୍ତ ଚାକିରି ଛାଡି ଓଡ଼ିଶା ଫେରିଥିଲେ ।