ବିଜେଡିରେ କର୍ପୋରେଟ୍ ଲିଡର ସଂତୃପ୍ତ ମିଶ୍ର: ପ୍ରଥମ ଦିନରେ ବଡ ଦାୟିତ୍ୱ, ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା

140

କନକ ବ୍ୟୁରୋ: ଦିନେ ବଡ ବଡ ଶିଳ୍ପପତି ଏବଂ କର୍ପୋରେଟ ଜଗତର ଜଣାଶୁଣା ଚେହେରାଙ୍କ ସହ କାମ କରୁଥିଲେ । ଆଉ ଏବେ ରାଜନୀତିରେ ପାଦ ଥାପିଛନ୍ତି ସଂତୃପ୍ତ ମିଶ୍ର । ୨୮ ବର୍ଷ ଧରି କର୍ପୋରେଟ ଜଗତରେ କାମ କରିବା ପରେ ଏବେ ରାଜନୀତିରେ ଯୋଗ ଦେଇଛନ୍ତି ସଂତୃପ୍ତ ମିଶ୍ର । ଉଦ୍ଦେଶ୍ୟ ରାଜ୍ୟବାସୀଙ୍କ ପାଇଁ କାମ କରିବେ । ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି । ଏହାପୂର୍ବରୁ ଏହି ଚର୍ଚ୍ଚିତ ବ୍ୟକ୍ତି ବିଜେଡିରେ ସାମିଲ ହେବାକୁ ନେଇ ଭିନ୍ନ ଚର୍ଚ୍ଚା ଧରିଛି ।

ଖାଲି ହେବାକୁ ଯାଉଥିବା ରାଜ୍ୟସଭା ସାଂସଦ ପଦ ପାଇଁ ସାହିତ୍ୟକ, ଶିଳ୍ପପତିଙ୍କୁ ନବୀନ ଚୟନ କରିପାରନ୍ତି ଚର୍ଚ୍ଚା ଭିତରେ ବିଜେଡିରେ ସାମିଲ ହୋଇଛନ୍ତି କର୍ପୋରେଟ୍ ଲିର୍ଡର ସଂତୃପ୍ତ ମିଶ୍ର । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସଂତୃପ୍ତ । ଆଉ ଯୋଗ ଦେବା ପରେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାକୁ ନିଷ୍ଠାର ସହ ତୁଲାଇବେ ବୋଲି କହିଛନ୍ତି ।

ଦଳରେ ସାମିଲ ହେବାର ପ୍ରଥମ ଦିନରେ ସଂତୃପ୍ତଙ୍କୁ ବଡ ଦାୟିତ୍ୱ ଦେଇଛନ୍ତି ନବୀନ । ସଂତୃପ୍ତଙ୍କୁ ଜାତୀୟ ମୁଖପାତ୍ର କରିଛନ୍ତି । ଦାୟିତ୍ୱ ମିଳିବା ପରେ ସେ ବିଜେଡି ଓ ରାଜ୍ୟର ପ୍ରସଙ୍ଗକୁ ଜାତୀୟସ୍ତରରେ ଉଠାଇବେ ବୋଲି କହିଛନ୍ତି ।

ରାଜ୍ୟସଭାକୁ କିଏ ଯିବ ଚର୍ଚ୍ଚା ଭିତରେ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେବା ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ବିଜୁ ଜନତା ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ବି ତାଙ୍କୁ ନବୀନ ରାଜ୍ୟସଭାକୁ ପଠାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଦିତ୍ୟ ବିର୍ଲା ଗ୍ରୁପ୍ର ଡାଇରେକ୍ଟର ଅଫ ଗ୍ରୁପ୍ ଏଚ୍ଆର୍ ଭାବେ କାମ କରୁଥିଲେ ସଂତୃପ୍ତ ମିଶ୍ର । ଗତବର୍ଷ ଡିସେମ୍ବର ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ୨୮ ବର୍ଷ ଧରି ଗ୍ରୁପ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସୁଚାରୁପେ କାର୍ଯ୍ୟ ସଂପାଦନ କରି ଆସିଛନ୍ତି । କୁମାର ମଙ୍ଗଲମ୍ ବିର୍ଲାଙ୍କର ମୁଖ୍ୟ କୋର୍ ଟିମ୍ରେ ଦୀର୍ଘଦିନ ଧରି ସେ କାମ କରିଛନ୍ତି । ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନାର ପରାମର୍ଶଦାତା କମିଟି ଅଧ୍ୟକ୍ଷ ଥିଲେ ।