ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଢ଼ୁଛି ବିରୋଧ : ବିଧାନସଭାରେ ପୁରାଇ ଦେବନାହିଁ ବୋଲି କହିଲା କଂଗ୍ରେସ

ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ଅପବିତ୍ର କରିବାକୁ ଦେବେନି ପବିତ୍ର ଗୃହ

120

କନକ ବ୍ୟୁରୋ : ବିଧାନସଭା ଅଧିବେଶନ ପୂର୍ବରୁ ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ରଣହୁଙ୍କାର । କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଇଛନ୍ତି ବଡ଼ ବୟାନ । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିଲେ ପବିତ୍ର ଗୃହ ଅପବିତ୍ର ହେବ । ବାଚସ୍ପତିଙ୍କୁ ଆମେ ଅନୁରୋଧ କରିବୁ ଯାହାଙ୍କ ନାମରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି ତାକୁ ବିଧାନସଭା ଭିତରକୁ ନ ପୁରାଯାଉ । ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ଆମେ ପ୍ରବଳ ବିରୋଧ କରିବୁ । ସେ ସମୟରେ କ’ଣ ହେବ ସରକାର ଏବଂ ସମଗ୍ର ଓଡିଶା ଦେଖିବ ।

ଦିବ୍ୟଶଙ୍କର ମିଶ୍ର ଯଦି ମମିତା ମହେର ପ୍ରସଙ୍ଗରେ ବିବୃତି ରଖିବେ ବିଧାନସଭା କଳଙ୍କିତ ହେବ । ତାଙ୍କ ପରିବାର ଲୋକ କ୍ୟାପେଟେନ ଦିବ୍ୟଶଙ୍କର ନାମରେ ଅଭିଯୋଗ ଆଣିଛନ୍ତି । ଯଦି ଏହା ସତ୍ତ୍ୱେ ବି ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିବେ ତେବେ ଆମେ ଜୋରଦାର ବିରୋଧ କରିବୁ । ଆମେ କିପରି ରଣନୀତି କରିବୁ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ସୂଚନା ଥାଉ କି ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ । ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୨୬ଟି କାର୍ଯ୍ୟଦିବସ ରଖାଯାଇଛି।

ଅଧିବେଶନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହେବ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍‌ ଗୃହୀତ କରାଯିବ । ଡିସେମ୍ବର ୧୧ରୁ ୩୧ ତାରିଖ ଯାଏ ଅଫିସିଆଲ୍‌ ବିଜ୍‌ନେସ୍‌ ରଖାଯାଇଛି । ତାହା ମଧ୍ୟରୁ ୧୭, ୨୪ ଓ ୨୯ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ବିଜ୍‌ନେସ୍‌ ରଖାଯାଇଛି । ଡିସେମ୍ବର ୫, ୧୨, ୧୯ ଓ ୨୬ ତାରିଖରେ ରବିବାର ଏବଂ ୨୫ ତାରିଖରେ ବଡ଼ ଦିନ ପାଇଁ ଗୃହ କାର୍ଯ୍ୟ ହେବ ନାହିଁ ।