କନକ ବ୍ୟୁରୋ : କଂଗ୍ରେସ ଆଜି ପୁଣି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି । ୨୦ତାରିଖରେ ମନ୍ତ୍ରୀ କେଉଁଠି ଥିଲେ ବୋଲି ନିର୍ଦ୍ଦିଷ୍ଟ ଭାବେ ପ୍ରଶ୍ନ କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେପଟେ ନିଜ ନିର୍ବାଚନ ମଣ୍ଡଳୀରେ ଛୋଟ ଛୋଟ ସମାବେଶ କରି ନିଜ ପକ୍ଷ ରଖୁଛନ୍ତି ମନ୍ତ୍ରୀ । ଏବଂ ଏଥିରେ ମହିଳା ମାନଙ୍କୁ ବେଶ ଗୁରୁତ୍ୱ ଦେଉଛନ୍ତି । ଏସବୁ ଭିତରେ ଆଜି ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚାଲି ଚାଲି ଯାଉଥିବା ବେଳେ ଜଣେ ବିଜେପି କର୍ମୀ ଆଗକୁ ଆସି ସେ କେବେ ଇସ୍ତଫା ଦେବେ ବୋଲି ପ୍ରଶ୍ନ କରିଥିଲେ ।
କଳାହାଣ୍ଡିର ଭବାନୀପାଟଣା ସହରରେ ମଙ୍ଗଳବାର ମନ୍ତ୍ରୀ ନିଜ ସୁରକ୍ଷା କର୍ମୀଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ଏକ ଘଟଣା ଘଟିଲା । ଜଣେ ଯୁବକ ନମ୍ରତାର ସହ ମନ୍ତ୍ରୀଙ୍କ ପାଖକୁ ଚାଲିଆସିଲେ । କେହି କିଛି ଭାବିବା ପୂର୍ବରୁ ମନ୍ତ୍ରୀଙ୍କୁ ବାଣ ଭଳି ପ୍ରଶ୍ନ ପଚାରିଲେ । ପଚାରିିଲେ, ଆପଣ ଇସ୍ତଫା ଦେବେ କି । ସମସ୍ତଙ୍କ ସାମ୍ନାରେ ଏଭଳି ପ୍ରଶ୍ନ ଶୁଣି ଟିକିଏ ଅସହଜ ହୋଇପଡିଲେ ମନ୍ତ୍ରୀ । ଏହାର ଉତ୍ତରରେ କିଛି କହିଥିଲେ ମଧ୍ୟ, କିନ୍ତୁ କଣ କହିଲେ ସ୍ପଷ୍ଟ ହେଲାନି । ପ୍ରତି ଜବାବରେ ଯୁବକ କହିଥିଲେ ନା ଫାଶୀ ନୁହେଁ ଇସ୍ତଫା ଦରକାର । ପ୍ରଶ୍ନକୁ ଏଡାଇ ଦେଇ ଚାଲିଯାଇଥିଲେ ମନ୍ତ୍ରୀ । ଭବାନୀପାଟଣା ରାସ୍ତାରେ ମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନର ଦୃଶ୍ୟକୁ କେହି ଜଣେ ମୋବାଇଲରେ ରେକର୍ଡ କରିଥିଲା । ଆଉ କିଛି ସମୟ ପରେ ଏ ଦୃଶ୍ୟ ମୋବାଇଲରେ ଭାଇରାଲ ହେବାକୁ ଲାଗିଲା ।
ଭାବମୂର୍ତି ସଜାଡିବାକୁ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କ ସମାବେଶ । ଅଞ୍ଚଳ ଉପରେ ଲାଂଛନା ଅଭିଯୋଗ ଆଣିଲେ ଦିବ୍ୟଶଙ୍କର । ଗୋଲାମୁଣ୍ଡା ବ୍ଲକ ନୂଆ ଗାଁ ପଂଚାୟତରେ ମହିଳାଙ୍କୁ ନେଇ ସମାବେଶ କରି ମନ୍ତ୍ରୀ ଅଜବ ଯୁକ୍ତି ବାଢିଛନ୍ତି । କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ଆଣି, ଅଞ୍ଚଳକୁ ଅପମାନ କରାଯାଉଛି । ମମିତା ହତ୍ୟାକାଣ୍ଡରେ ତାଙ୍କ ନାଁକୁ ନେଇ ଅଭିଯୋଗ ଆସୁଥିବାରୁ ମନ୍ତ୍ରୀ ଏବେ ଯେଉଁଠି ଯାଉଛନ୍ତି, ସେଠାରେ ମହିଳାଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ କହୁଛନ୍ତି । ଏହି ସମାବେଶରେ ଭାଷଣ ଦେଇ କହୁଥିଲେ ତାଙ୍କ ପାଇଁ ମାଆ ମାନେ ଠିଆ ହୋଇଛନ୍ତି । ମା ମାଉସୀଙ୍କ ପାଇଁ ତାଳି ବଜାଇବାକୁ ଆହ୍ୱାନ ବି ଦେଉଥିଲେ । ମାତୃଶକ୍ତି ତାଙ୍କ ପାଇଁ ଅଛି ବୋଲି ମଧ୍ୟ କହୁଥିଲେ ଦିବ୍ୟଶଙ୍କର ।
ରାୟପୁର ଘରକୁ ନେଇ ବଢିଲା ରହସ୍ୟ । ମନ୍ତ୍ରୀଙ୍କ ସଫେଇ ଉପରେ ପ୍ରଶ୍ନ ଉଠାଇଲେ ସାଲୁଜା । ମୃତ ମମିତା ମେହେରଙ୍କୁ ମନ୍ତ୍ରୀ ଦିବ୍ୟଶଙ୍କର ଓ ଗୋବିନ୍ଦ ସାହୁ ରାୟପୁର ନେଇ ବୁଝାସୁଝା କରିବାକୁ ଉଦ୍ୟମ କରିବା ଅଭିଯୋଗ ପୁଣି ଜୋର ଧରିବାରେ ଲାଗିଛି । ମନ୍ତ୍ରୀ କହିଥିଲେ, ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ସେ କଣ୍ଟାବାଞ୍ଜିରେ ଥିଲେ । ସାଲୁଜା ପଚାରିଛନ୍ତି, ୨୦ରେ ସେ କେଉଁଠି ଥିଲେ । ଏହାଛଡା କଣ୍ଟାବାଞ୍ଜିରୁ ରାୟପୁର ମାତ୍ର ୨-୩ ଘଣ୍ଟାର ରାସ୍ତା ବୋଲି ସେ କହିଛନ୍ତି । ତେବେ ପ୍ରକୃତରେ ରାୟପୁରରେ କଣ ଘଟିଥିଲା ଏବଂ ପ୍ରକୃତରେ ମମିତାଙ୍କୁ ବୁଝାଇବାକୁ ଉଦ୍ୟମ କରାଯାଇଥିଲା କି, ଏସବୁ ପ୍ରଶ୍ନ ପୂରା ଘଟଣାକୁ ରହସ୍ୟମୟ କରିଦେଇଛି ।