କନକ ବ୍ୟୁରୋ : କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ମହମ୍ମଦ ଜହୁରଙ୍କ ମୃତ୍ୟୁ ହୋଇଛି । କିନ୍ତୁ ମୃତ୍ୟୃୁ ପରେ ବି ଅନେକଙ୍କ ହୃଦୟରେ ସେ ଚିର ଦିନ ବଂଚି ରହିବେ । କାରଣ ମୃତ୍ୟୁ ପୂର୍ବରୁ ସେ ବଂଚାଇ ଦେଇଛନ୍ତି ଅନେକ ଜୀବନ । ଅଗ୍ନିକାଣ୍ଡ ସମୟରେ ସମସ୍ତଙ୍କୁ ଉଠାଇବା ସହ ଅନେକ ଜୀବନ ବଂଚାଇପାରିଛନ୍ତି । ତେବେ ନିଜେ ବାହାରକୁ ଆସିବାକୁ ଚେଷ୍ଟା କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । କିଛି ସମୟ ପରେ ଓଡ଼ିଶାରେ ପହଁଚିବ ଜୁହୁରଙ୍କ ମୃତହେଦ । ଏହାପୂର୍ବରୁ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଜୁହୁରଙ୍କ ପତ୍ନୀ ୭ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡ଼ିଛି ।

Advertisment

ସେହିଭଳି କୁଏତରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼ କୁଏତରେ କାମ କରୁଥିଲେ । ବୁଧବାର ଦିନ ନିଜ କାମ ସାରି ନିଜେ ରହୁଥିବା ଘରକୁ ଫେରିଥିଲେ । ରାତିରେ ଶୋଇଥିବା ବେଳେ ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ହୋଇଛି । ସନ୍ତୋଷଙ୍କ ମୃତ୍ୟୁ ଖବର ଆସିବା ପରେ ପରିବାର ସମେତ ଗାଁରେ ଶୋକର ପରିବେଶ । ମୃତଦେହକୁ କୁଏତରୁ କେରଳ ଅଣାଯିବା ପରେ ଭୁବନେଶ୍ୱର ଅଣାଯିବ । ସନ୍ତୋଷଙ୍କ ଦୁଇଟି ଛୋଟ ପିଲା ରହିଛନ୍ତି । ସେ ପରିବାରର ରୋଜଗାରିଆ ପୁଅ ଭାବେ କୁଏତ ଯାଇ ସେଠାରେ କାମ କରୁଥିଲେ । ଗତ ଦୁଇ ବର୍ଷ ହେଲା ସେ କୁଏତରେ କାମ କରୁଥିଲେ । ଗତ ମାର୍ଚ୍ଚ ମାସରେ ସନ୍ତୋଷ ନିଜ ବାପାଙ୍କ ଅପରେସନ ପାଇଁ ଓଡ଼ିଶା ଆସି ପୁଣି କୁଏତ ଯାଇଥିଲେ ।