ପଞ୍ଚଭୂତରେ ଲୀନ ଭଜନ ସାମ୍ରାଜ୍ଞୀ: ସ୍ୱର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ ଅନର

328

କନକ ବ୍ୟୁରୋ: ନୀରବି ଗଲେ ଭଜନ ସାମ୍ରାଜ୍ଞି ଶାନ୍ତିଲତା ବାରିକ । ସ୍ୱର୍ଗଦ୍ୱାରରେ ଗାର୍ଡଅଫ ଅନର ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସଂପନ୍ନ ହୋଇଛି । ଭୁବନେଶ୍ୱରରେ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶାନ୍ତିଲତାଙ୍କ ପରଲୋକରେ ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ସବୁଠି ଶୋକାକୁଳ ପରିବେଶ । କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ନୀରବି ଯାଇଛି ଓଡିଆ ସଙ୍ଗୀତ ଦୁନିଆ । ଆଉ ଶୁଣିବାକୁ ମିଳିବ ନାହିଁ ସେହି ସ୍ୱର, ଯେଉଁ ସ୍ୱରରେ ଭାସି ଆସୁଥିଲା ଓଡ଼ିଆଙ୍କ ପ୍ରାଣ ଠାକୁର ଶ୍ରୀଜଗନ୍ନାଥଙ୍କ ଭଜନ । ଆଜି ସଭିଙ୍କ ଆଖିରେ ଲୁହ । ସମସ୍ତଙ୍କ ମୁହଁରେ ଶାନ୍ତିଲତା ଓ ତାଙ୍କ ଭଜନର କଥା ।

ସ୍ୱର୍ଗ ଦ୍ୱାରକୁ ଯିବା ପୂର୍ୱରୁ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ଶାନ୍ତିଲତାଙ୍କୁ ଶେଷ ଦର୍ଶନ କରିଥିଲେ ସଙ୍ଗୀତ ପ୍ରେମୀ ଓ ସଙ୍ଗୀତ ସାଧନା କରୁଥିବା ଛାତ୍ରଛାତ୍ରୀ । ତାଙ୍କ ସହ ବିତାଇଥିବା ମୁହୁର୍ତକୁ ବି ମନେ ପକାଇଛନ୍ତି ସଙ୍ଗୀତ ଜଗତର ବ୍ୟକ୍ତିବିଶେଷ । ଗୀତ ଗାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି କଣ୍ଠଶିଳ୍ପୀ ।
ପଂଚଭୁତରେ ଲୀନ ହୋଇଛନ୍ତି ଶାନ୍ତିଲତା ବାରିକ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ବଡ ପୁଅ ଅବିନାଶ ଛୋଟରାୟ ଦେଇଛନ୍ତି ମୁଖାଗ୍ନୀ । ଶାନ୍ତିଲତାଙ୍କୁ ଶେଷ ଦର୍ଶନ କରିବା ପାଇଁ ସ୍ୱର୍ଗ ଦ୍ୱାରରେ ଜମିଥିଲା ପ୍ରଶଂସକଙ୍କ ଭିଡ । ଅନେକଙ୍କ ଆଖିରୁ ଝରିପଡିଥିଲା ଲୁହ । ପ୍ରଶାସକଙ୍କ ସମେତ ବହୁ ରାଜନେତା ବି ଶେଷ ଦର୍ଶନରେ ବି ସାମିଲ ହୋଇଥିଲେ ।
ଭଜନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ଶାନ୍ତିଲତା ବାରିକଙ୍କ ଥିଲା ଅନେକ ଅବଦାନ । ସେ ଗାଇଥିବା ହେ ଚକାନୟନ ଭଜନ ଆଜି ବି ଅନେକଙ୍କ ହୃଦୟରେ ବସା ବାନ୍ଧି ହୋଇ ରହିଛି । ଆଜି ସିନା ସେ ନାହାନ୍ତି କିନ୍ତୁ ତାଙ୍କ ଗୀତ ମାଧ୍ୟମରେ ସେ ରହିଯିବେ ଚିର ଅମର ।