କନକ ବ୍ୟୁରୋ : ଆଜି ଆମେ ପାଇଥିବା ସ୍ୱାଧୀନତା ଓ ଅଧିକାର ପାଇଁ ଯେଉଁ ସ୍ୱାଧିନତା ସଂଗ୍ରାମ ହୋଇଥିଲା ସେଥିରେ କେତେ ଯେ ସଂଗ୍ରାମୀଙ୍କର ଜୀବନ ବାଜି ଲାଗିଛି ତାର ଗଣନା ନାହିଁ । ଏହି ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ନା ଏପରି ଅଛି ଯାହାର ଅବଦାନ ଏବେ ଯାଏ ଲୋକଲୋଚନକୁ ଆସି ପାରି ନାହିଁ ହେଲେ ତାଙ୍କର ବୀର ପଣିଆ ଅତୁଲ୍ୟ ।

Advertisment

ସ୍ୱାଧୀନତା ସଂଗ୍ରାମରେ କେବଳ ଗରମ ରକ୍ତର ତରୁଣ ନୁହେଁ ଅନେକ ଵୀରାଙ୍ଗନା ମଧ୍ୟ ସାମିଲ ଥିଲେ । ଶାନ୍ତି ଘୋଷ ଓ ସୁନିତା ଚୌଧୁରୀ ଦୁଇ ଅଳ୍ପ ବୟସ୍କା ତରୁଣୀ, ହେଲେ କୋମିଲା ଜିଲ୍ଲାର ବ୍ରିଟିଶ ମାଜିଷ୍ଟ୍ରେଟ ଚାର୍ଲସ ଯେଫ୍ରି ବକଲେଣ୍ଡ ଷ୍ଟିଭର୍ସଙ୍କୁ ଅନେକ ଚତୁରତାର ସହ ହତ୍ୟା କରି ଭଗତ ସିଂଙ୍କ ଫାଶୀର ପ୍ରତିଶୋଧ ପୁରା କରିଥିଲେ ଶାନ୍ତି ଓ ସୁନିତା ।

୨୨ ନଭେମ୍ବର,୧୯୧୬ରେ କୋଲକାତାରେ ଶାନ୍ତିଙ୍କ ଜନ୍ମ । ଅଧ୍ୟାପକ ପିତା ଦେବେନ୍ଦ୍ରନାଥ ଘୋଷ ଥିଲେ ଖୁବ ରାଷ୍ଟ୍ରବାଦୀ ଓ ଏହି ଅଭ୍ୟାସ ଶାନ୍ତିଙ୍କୁ ଛୁଆଟି ବେଳୁ ଅନୁପ୍ରାଣିତ କରିଥିଲା । ସାନ ବେଳୁ କ୍ରାନ୍ତିକାରୀ ଓ ସଂଗ୍ରାମୀଙ୍କର ଜୀବନୀ ପଢି ଓ ସେମାଙ୍କ ସଂସ୍ପର୍ଶରେ ଆସି ଶାନ୍ତି ଘୋଷ ମଧ୍ୟ ଦେଶ ପ୍ରେମୀ ପାଲଟି ଯାଇଥିଲେ ।

ପଢିବା ସମୟରେ ଶାନ୍ତି ସହପାଠୀ ପ୍ରଫୁଲ୍ଲ ନଳିନୀ ଦ୍ୱାରା ସ୍ଵତନ୍ତ୍ରତା ଆନ୍ଦୋଳନ ବିଷୟରେ ଅଧିକ ଜାଣିବାକୁ ପାଇଥିଲେ। ବ୍ରିଟିଶ ଅତ୍ୟାଚାରି ଶାସନ ବିରୁଦ୍ଧରେ ଗଢିଉଠିଥିବା କ୍ରାନ୍ତିକାରୀ ସଂଗଠନ ଯୁଗାନ୍ତର ପାର୍ଟିରେ ୧୯୩୧ ମସିହାରେ ଯୋଗ ଦେଇଥିଲେ ଶାନ୍ତି ଘୋଷ। ଅଳ୍ପ ସମୟରେ ଆନ୍ଦୋଳନ ପାଇଁ ଜରୁରୀ ପ୍ରଶିକ୍ଷଣ ନେଇ ସଂଗଠନର ଜଣେ ଯୋଗ୍ୟ ସଦସ୍ୟ ପାଲଟି ନିଜକୁ ଦେଶ ପାଇଁ ସମ୍ପୂର୍ଣ ସସର୍ପଣ କରି ଦେଇଥିଲେ ।

ଆନ୍ଦୋଳନକାରୀଙ୍କୁ ତତ୍କାଳୀନ ତ୍ରିପୁରା କୋମିଲା ଜିଲ୍ଲା ମାଜିଷ୍ଟ୍ରେଟ ଚାର୍ଲସ ଦୃଢ ହସ୍ତରେ ଦମନ କରିବା ସହ ଅନେକ ହଇରାଣ କରୁଥିଲେ । ଜନସାଧାରଣଙ୍କ କ୍ରୋଧ ଜାଣିବା ପରଠୁ ସେ ଉଭୟ ସତର୍କ ଓ ସୁରକ୍ଷା ଭିତରେ ରହୁଥିଲେ। ହେଲେ ଏହି କ୍ରୁର ଦମନକାରି ବ୍ରିଟିଶ ଶାସକକୁ ଶେଷ କରିବା ପାଇଁ ଅନେକ ଚାଲାକିର ସହ ଯୋଜନା କରା ଯାଇଥିଲା । ଯୋଜନା ମୁତାବକ ଦୁଇ ୮ମ ଶ୍ରେଣୀ ଛାତ୍ରୀ ଶାନ୍ତି ଓ ସୁନିତା ୧୪ ଡିସେମ୍ବର ୧୯୩୧କୁ ଚାର୍ଲସଙ୍କ ବାସଭବନରେ ପହଁଞ୍ଚି ଛଦ୍ମ ନାମରେ ଦେଖା କଲେ। ସେମାନେ ସ୍କୁଲର ଏକ ସନ୍ତରଣ ପ୍ରତିଯୋଗିତା ପାଇଁ କିଛି ଜରୁରୀ କାଗଜ କାମ ହେତୁ ଆବେଦନ ପତ୍ର ଦେଲେ, ଚାର୍ଲସ ସନ୍ତରଣ କରୁଥିବା ସମୟରେ ଶାନ୍ତି ଯୋଜନା ଅନୁଯାଇ ହଠାତ ଲୁଚାଇ ରଖିଥିବା ରିଭଲଭରର କାଢିଥିଲେ ଓ ସିଧାସଳଖ ଚାର୍ଲସଙ୍କ ଛାତିକୁ ଗୁଳି କରିଥିଲେ । ଉଭୟ ଧରା ପଡି ଜେଲ ଗଲେ। ୧୯୩୯ରେ ରାଜନୈତିକ ବନ୍ଦୀ ହିସାବରେ ଶାନ୍ତି ଜେଲରୁ ମୁକୁଳିଥିଲେ ।

ଜେଲରୁ ଆସି କଲେଜ ପଢା ଶେଷ କରିବା ଭିତରେ ସେ କଲେଜର ଛାତ୍ରୀ ସଂଗଠନର ମୁଖ୍ୟ ରହିଥିଲେ। ପରବର୍ତୀ ଜୀବନରେ ଶାନ୍ତି ରାଜନୀତିରେ ମଧ୍ୟ ଖୁବ ସକ୍ରିୟ ରହିଥିଲେ। ଏହା ପରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗ ଦେବା ସହ ୧୯୫୨ରୁ ୧୯୬୨ ଯାଏ ଏବଂ ୧୯୬୭ରୁ ୧୯୬୮ ଯାଏଁ ଶାନ୍ତି ଘୋଷ ବେଙ୍ଗଲ ବିଧାନ ସଭାରେ ସଦସ୍ୟ ଭାବେ କାର୍ୟ୍ୟ କରିଥିଲେ।