କନକ ବ୍ୟୁରୋ: ହ୍ୟାକ୍ ହେଲା ସଂସଦ ଟିଭି । ୟୁଟ୍ୟୁବରେ ଥିବା ସଂସଦ ଟିଭିର ଆକାଉଣ୍ଟକୁ ହ୍ୟାକ୍ କରିଦିଆଯାଇଛି । ତେବେ ଏ ସମ୍ଭନ୍ଧରେ ସଂସଦ ଟିଭି ପକ୍ଷରୁ ହିଁ ବୟାନ ଜାରି କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଫେବ୍ରୁଆରୀ ୧୫ ତାରିଖ ରାତି ପ୍ରାୟ ୧ଟା ସମୟରେ କିଛି ବ୍ୟକ୍ତି ସଂସଦ ଟିଭିକୁ ହ୍ୟାକ୍ କରିବାକୁ ଉଦ୍ୟମ କରିଥିଲେ । ଯାହା ଫଳରେ ସଂସଦ ଟିଭିର ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍ ହୋଇଯାଇଥିଲା ।
ହ୍ୟାକରମାନେ ସଂସଦ ଟିଭିର ୟୁଟ୍ୟୁବ୍ ଆକାଉଣ୍ଟକୁ ହ୍ୟାକ୍ କରିବା ପରେ, ଏହାର ନାମ ବଦଳାଇଥିଲେ । ସେମାନେ ଏହାର ନାମ ଇଥେରିୟମ କରିଦେଇଥିବା ସୂଚନା ମିଳିଛି । ତେବେ ସଂସଦ ଟିଭିର ସୋସିଆଲ୍ ମିଡିଆ ଟିମ୍ ଯଥାଶୀଘ୍ର ଏ ସମ୍ପର୍କରେ ସୂଚନା ପାଇବା ସହିତ ଏନେଇ କାମ ଆରମ୍ଭ କରି ଦେଇଥିଲା । ସଂସଦ ଟିଭିର ବୟାନ ମୁତାବକ, ଇଣ୍ଡିଆନ୍ କମ୍ପ୍ୟୁଟର ଇମରଜେନ୍ସିଂ ରେସପନ୍ସ ଟିମ୍ ମ୍ୟ ଏହି ଘଟଣାକୁ ସଂଜ୍ଞାନ ନେଇଛି । ସିଇଆରଟି ଏହି ମାମଲାକୁ ଅତି ତତ୍ପରତାର ସହ ଯାଞ୍ଚ କରୁଥିବା ଜଣାପଡିଛି । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଛି ।
ୟୁଟ୍ୟୁବରେ ସଂସଦ ଟିଭି ହ୍ୟାକ୍ ହେବା ପରେ ୟୁଟ୍ୟୁବରେ ଏହାର ସିଧାପ୍ରସାରଣ ନେଇ ଅସୁବିଧା ସୃଷ୍ଟି ହୋଇଛି । କୁହାଯାଉଛି ୟୁଟ୍ୟୁବ୍ ପକ୍ଷରୁ ସଂସଦ ଟିଭିର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି । ଦର୍ଶକମାନେ ଏଭେ ଏହାର ପ୍ରସାରଣ ଦେଖିପାରୁନାହାଁନ୍ତି ।
Follow Us