ପଶ୍ଚିମ ଓଡ଼ିଶାରୁ ନବୀନ ଲଢିବା ପ୍ରସଙ୍ଗ: ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ, ପ୍ରସ୍ତାବ ଦେଇଛୁ କେଉଁଠୁ ଲଢିବେ ନିଷ୍ପତି ନେବେ ସୁପ୍ରିମୋ

269

କନକ ବ୍ୟୁରୋ: ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କେଉଁ ସ୍ଥାନରୁ ଲଢିବେ ସେ ନେଇ ମୁଖ୍ୟମନ୍ତ୍ରୀ ନିଜେ ନିଷ୍ପତି ନେବେ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ବିଗତ ୫ବର୍ଷରେ ପଶ୍ଚିମ ଓଡିଶାରେ ରାଜ୍ୟ ସରକାର ଅନେକ ବିକାଶ ମୂଳକ କାମ କରିଥିବାରୁ ଏକ ଭାବଗତ ସମ୍ପର୍କ ସୃଷ୍ଟି ହୋଇଛି । ତେଣୁ ପଶ୍ଚିମ ଓଡିଶାର ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଲେଖକ , କବି , ସାମ୍ବାଦିକ ସମସ୍ତେ ନବୀନଙ୍କୁ ପ୍ରସ୍ତାବ ଦେଇଥିଲେ ପଶ୍ଚିମ ଓଡିଶାରୁ ଲଢିବା ପାଇଁ । ତେବେ ଏହି ପ୍ରସ୍ତାବକୁ ଗ୍ରହଣ କରି ଏହା ଉପରେ ବିଚାର କରୁଛନ୍ତି ବୋଲି ନବୀନ କହିଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ପ୍ରସନ୍ନ ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ସୁପ୍ରିମୋ କହିଛନ୍ତି କି, ଏଥର ପଶ୍ଚିମ ଓଡିଶାରୁ ସେ ନିର୍ବାଚନ ଲଢିପାରନ୍ତି । ନବୀନ କହିଛନ୍ତି, ପଶ୍ଚିମ ଓଡିଶାରୁ ଲଢିବା ପାଇଁ ସେ ବିଚାର କରୁଛନ୍ତି । ନେତା, ଚାଷୀ ଓ ମହିଳାଙ୍କ ଅନୁରୋଧ ପରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ନବୀନ । ତେବେ ନବୀନଙ୍କର ନିଜର ନିର୍ବାଚନ ମଣ୍ଡଳୀ ହେଉଛି ହିଂଜିଳୀ । ଏଠାରୁ ମୁଖ୍ୟମନ୍ତ୍ରୀ ୪ ଥର ନିର୍ବାଚନ ଲଢି ଅପରାଜେୟ ରହି ଆସିଛନ୍ତି ।

ହିଂଜିଳିରୁ ପ୍ରଥମେ ୨୦୦୦ ମସିହାରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ନବୀନ । ଏହା ପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରୁ ଏଠାରୁ ନିର୍ବାଚନ ଲଢିଛନ୍ତି ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଥର ପଶ୍ଚିମଓଡିଶାର ନେତା ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ଅନୁରୋଧ ପରେ ନବୀନ ପଶ୍ଚିମଓଡିଶାରୁ ନିର୍ବାଚନ ଲଢିବା ନେଇ ବିଚାର କରୁଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ପରେ ପରେ ପଶ୍ଚିମଓଡିଶାର ରାଜନୀତି ବେଶ୍ ଜୋର ଧରିଛି ।