ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ରଥ ପ୍ରଦିକ୍ଷଣ ସହ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟଙ୍କ ସମେତ ଗୋବର୍ଦ୍ଧନ ପୀଠର ୭ଜଣ  ।

177

କନକ ବ୍ୟୁରୋ : ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଜଗଦଗୁରୁଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ମନ୍ଦିର ପ୍ରଶାସନର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ରଥଯାତ୍ରା ଦିନ ଜଗଦଗୁରୁଙ୍କ ଶଙ୍କରଚାର୍ଯ୍ୟଙ୍କ ସମେତ ଗୋବର୍ଦ୍ଧନ ପୀଠର ୭ଜଣ  ରଥ ପ୍ରଦିକ୍ଷଣ ସହ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ସହମତି ଦେଇଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଶଙ୍କରଚାର୍ଯ୍ୟ । କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବା କଥା । ମାତ୍ର ତାଙ୍କୁ ପରିଚାଳନା କମିଟି ବୈଠକରେ ସାମିଲ କରାଯାଉ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ।

ଏସବୁ ଭିତରେ କୋଭିଡ କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରାର ନୀତିକାନ୍ତି । ପୂର୍ବରୁ ହୋଇଥିବା  ନୀତି ନିର୍ଘଂଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହୋଇଛି । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ କରି ରଥଖଳାରୁ ସିଂହଦ୍ୱାର ଚକଡା ନିକଟକୁ ଟାଣି ଟାଣି ଆଣିଛନ୍ତି ସେବାୟତ । ଏବେ ତିନି ରଥ ସିଂହଦ୍ୱାର ଆଗରେ ଲାଗିଛି ।

ସେପଟେ ରଥଯାତ୍ରା ପାଇଁ ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି  । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି  । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଥିବା ବେଳେ ସେବାୟତମାନେ ରଥ ଟାଣିବେ । ଘୋଷଯାତ୍ରା ପାଇଁ ପୁରୀରେ ଆଜି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା କର୍ଫ୍ୟୁ କଟକଣା ବଳବତର ରହିବ ।