ସ୍ୱାର୍ଥପର ସମାଜରେ ସେବା କରିବାର ‘ସଙ୍କଳ୍ପ’ । ଅସହାୟଙ୍କ ପାଇଁ ଆଗେଇ ଆସିଲେ, ବୁଢୀ ମାଉସୀର ସେବା କଲେ । ଭଲ ହେବ ଘା, ଘଉଡ ଗୋଡ ।

75

କନକ ବ୍ୟୁରୋ : ଶୀତ ରାତି, ଶୂନଶାନ ରାସ୍ତା । ସ୍ୱାର୍ଥପର ସହରରେ ଯେତେବେଳେ ସମସ୍ତେ ଶୋଇପଡନ୍ତି ସେତେବେଳେ ଏଇ ଦୋକାନ ବାରଣ୍ଡା ହିଁ ସାହାରା ସାଜେ ଅସହାୟ ମଣିଷର । ରାତି ବଢିଲେ ବାହାରର ଶୀତ ଠାରୁ ଅସହ୍ୟ ହୋଇପଡେ ଶରୀରର ଯନ୍ତ୍ରଣା । ପଚି ଯାଇଥିବା ଘା ଘଉଡ ଗୋଡକୁ ଖାଇଯାଆନ୍ତି ପୋକ । ଏତେ ବଡ ଦୁନିଆରେ କିଏ ବା ଅଛି ନିଜର । ମାନସିକ ବିକାରଗ୍ରସ୍ତ ବୋଲି ତ ନା ମେଡିକାଲ ଯାଇପାରୁଛି ନା ତା ଯନ୍ତ୍ରଣା କାହାକୁ ଜଣାଇପାରୁଛି । ଅସହାୟତାର ଅଧରାସ୍ତାରେ ଏକାଏକା ବଞ୍ଚୁଛି ଏ ବୁଢୀ ମାଉସୀ ।

ନାଁ- ଲକ୍ଷ୍ମୀ, ଘର- ଯାଜପୁର କୁଆଖିଆ ଅଞ୍ଚଳରେ । କିନ୍ତୁ କଟକ ବାଙ୍କୀ ମୁଖ୍ୟ ରାସ୍ତା ମୁଣ୍ଡୁଳି ଗୋବିନ୍ଦପୁର ନିକଟରେ ଗତ କିଛି ଦିନ ହେବ ପଡିରହିଛନ୍ତି । ଅନେକ ଦିନ ହେବ ତାଙ୍କ ଡାହାଣ ଗୋଡର ପାଦ ପୋକ ସାଲୁବାଲୁ ହେଉଛି । ତାଙ୍କର ଏମିତି ଅବସ୍ଥା ଦେଖି କେହି ପାଖ ମାଡୁନଥିବା ବେଳେ ତେଲେଙ୍ଗାପେଣ୍ଠର ସଙ୍କଳ୍ପ ସେବା ସଙ୍ଘ ଅସହାୟ ମାଉସୀଙ୍କୁ ସାହାଯ୍ୟ କରିବାକୁ ପହଞ୍ଚିଥିଲା ।

ତେବେ ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ଓ କର୍ମକର୍ତ୍ତା ତାଙ୍କ ପାଖରେ ପହଞ୍ଚି ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କ ଗୋଡକୁ ଡ୍ରେସିଂ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ବି ଦେଇଥିଲେ । ଏଥିସହ ଶୀତ ରାତିରେ ଏକାଏକା ଜୀବନ କାଟୁଥିବା ଲକ୍ଷ୍ମୀଙ୍କୁ ନୂଆ ଲୁଗା ଦେଇଥିଲେ । ତେବେ ଯେଯାଏଁ ଅସହାୟ ମହିଳାଙ୍କ ଗୋଡ ସମ୍ପୂର୍ଣ୍ଣ ଭଲ ନହୋଇଛି ସେଯାଏଁ ତାଙ୍କ ଖାଇବାଠୁ ତାଙ୍କ ଚିକିତ୍ସା ସବୁ ବହନ କରିବ ସଙ୍କଳ୍ପ ସେବା ସଙ୍ଘ । ଆଉ ରୋଗ ଭଲ ହୋଇଗଲେ ତାଙ୍କୁ ତାଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିବ ବୋଲି ସ୍ୱେଚ୍ଛାସେବୀ ସଙ୍ଗଠନ ନିଷ୍ପତ୍ତି ନେଇଛି । ସତରେ ଘରଦ୍ୱାର ଭୁଲି ରାସ୍ତାଘାଟରେ ବଞ୍ଚୁଥିବା ଏ ଅସହାୟମାନଙ୍କୁ ଆମର ଆବଶ୍ୟକତା ରହିଛି । କାରଣ ସେମାନଙ୍କୁ ଆମେ ନପଚାରିଲେ ଆଉ କିଏ ପଚାରିବ । ଆସନ୍ତୁ ଅସହାୟଙ୍କ ହେବା ସାହା ।