କନକ ବ୍ୟୁରୋ : ଖରାଦିନ ଆସୁ ଆସୁ ଏବେ ଲୋକେ ଆମ୍ବ ଖୋଜିବା ଆରମ୍ଭ କଲେଣି । ବଜାରରେ ଆମ୍ବର ଚାହିଦା ହୁ ହୁ ହୋଇ ବଢୁଥିବାର ଦେଖିବାକୁ ମିଳୁଛି । ଦର ଯେତେ ହେଉ ନା କାହିଁକି ଆମ୍ବ ଖାଇବାକୁ ଲୋକଙ୍କ ମଧ୍ୟରେ ଏବେ ବି ସେହି ଚାହିଦା ରହିଛି । ଆମ୍ବ ପ୍ରତି ଲୋକଙ୍କର ଭଲପାଇବା ହିଁ ଏବେ ଦେଶର କୋଣ ଅନୁକୋଣରେ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ କରିବାକୁ ଚାଷୀଙ୍କୁ ପ୍ରେରିତ କରୁଛି । ଆଉ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ କରି ଚାଷୀ ମଧ୍ୟ ଭଲ ଦି ପଇସା ରୋଜଗାର କରି ପାରୁଛନ୍ତି ।

Advertisment

ସେହିଭଳି ଏକ ଭିନ୍ନ ପ୍ରଜାତିର ଆମ୍ବ ଚାଷ ମଧ୍ୟପ୍ରଦେଶର ଜବଲପୁରରେ ହେଉଛି । ଅନ୍ତର୍ଜାତୀୟ ବଜାରରେ ଯେଉଁ ଆମ୍ବର କିଲୋ ପିଛା ଦର ୨ ଲକ୍ଷରୁ ଅଧିକ ଟଙ୍କା ଥିବା କୁହାଯାଉଛି । କାରଣ ଏହି ଆମ୍ବର ଉତ୍ପାଦନ ସାଧାରଣତଃ ଜାପାନରେ ହୋଇଥାଏ । କିନ୍ତୁ ଜବଲପୁରରେ ମଧ୍ୟ ଏହି ଆମ୍ବର ଉତ୍ପାଦନ ଆରମ୍ଭ ହେବା କିଛି ଚାଷୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି । ଚାଷ ପ୍ରତି ମୁହଁ ମୋଡୁଥିବା ଲୋକ ପୁଣିଥରେ ଏବେ ଚାଷକାର୍ଯ୍ୟ କରିବାକୁ ବିଲ ମୁହାଁ ହେଉଛନ୍ତି ।

ଜାପାନରେ ଉତ୍ପାଦିତ ହେଉଥିବା ତାଇୟୋ ନୋ ତାମାଗୋ ନାମକ ଏହି ଆମ୍ବର ଦାମ ଅଧିକ ହେବାର କାରଣ ମଧ୍ୟ ରହିଛି । ଏହାକୁ ସୂର୍ଯ୍ୟଙ୍କର ଦାନ ବୋଲି କୁହାଯାଏ । କାରଣ ଏହାକୁ ଗଛରେ ଫଳନ୍ତି ଅବସ୍ଥାରେ ତୋଳା ଯାଏ ନାହିଁ । ବରଂ ସମ୍ପୂର୍ଣ୍ଣ ପାଚିବା ଜାଲିରେ ଖସିବା ପରେ ଏହାକୁ ବଜାରକୁ ଛଡାଯାଇଥାଏ । ଅନ୍ୟ ଆମ୍ବ ଠାରୁ ଏହାର ସ୍ୱାଦ ଅଧିକ ସ୍ୱାଦିଷ୍ଟ । ଜାପାନରେ ଏହାକୁ ଉପହାରସ୍ୱରୂପ ଦିଆଯାଇଥାଏ । ଆଉ ଯିଏ ଏହି ଉପହାର ନେଇଥାଏ ସେ ଏହାକୁ ଖାଇବା ପରିବର୍ତ୍ତେ ଘରେ ସଜାଇ ରଖିଥାଏ । ବଜାରରେ ଏହାର ମୂଲ୍ୟ ଅଧିକ ଥିବାରୁ ଏହାକୁ ବିଶ୍ୱର ସବୁଠୁ ଦାମୀ ଆମ୍ବ ବୋଲି କୁହାଯାଏ ।

ଜାପାନରେ ଉତ୍ପାଦିତ ହେଉଥିବା ଏହି ଆମ୍ବକୁ ଏବେ ଭାରତର ସଂକଳ୍ପ ପରିହାର ମଧ୍ୟପ୍ରଦେଶରେ ଉତ୍ପାଦନ କରିବା ଆରମ୍ଭ କରିଛନ୍ତି । ନିଜ ଜମିରେ ସେ ଏହି ଚାଷ ଆରମ୍ଭ କରିଛନ୍ତି । ଗତ କିଛି ବର୍ଷ ହେବ ଏହି ପ୍ରଜାତିର ଆମ୍ବ ଚାଷ କରୁଛନ୍ତି ସଂକଳ୍ପ ।
ବିଶ୍ୱର ଦାମୀ ଆମ୍ବ ଭାବେ ପରିଚିତ ହାସଲ କରିଥିବା ଏହି ଆମ୍ବର ସୁରକ୍ଷା ପାଇଁ ସଂକଳ୍ପ କଡା ସୁରକ୍ଷାବ୍ୟବସ୍ଥା କରିଛନ୍ତି । କାରଣ ଏହି ଦାମୀ ଆମ୍ବ ବାବଦରେ ଜାଣିବା ପରେ କିଛି ଲୋକ ବାଡିରେ ପଶି ଏହାକୁ ଚୋରି କରିଥିଲେ । ତେଣୁ ଏହି ଆମ୍ବର ସୁରକ୍ଷା ପାଇଁ ଏବେ ୩ ଜଣ ଗାର୍ଡ ଓ ୯ଟି କୁକୁରକୁ ନିୟୋଜିତ କରିଛନ୍ତି ସଂକଳ୍ପ । ଆଉ ଏହି ସୁରକ୍ଷାବ୍ୟବସ୍ଥ୍ା ପାଇଁ ସଂକଳ୍ପକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

ସଂକଳ୍ପ ଏବେ ନିଜ ୪ ଏକର ଜମିରେ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ କରିଛନ୍ତି । ଯେଉଁଥିରେ ୧୪ଟି ହାଇବ୍ରିଡ ପ୍ରଜାତିର ଆମ୍ବ ରହିଛି । ଏହାଛଡା ନିଜ କ୍ଷେତରେ ସଂକଳ୍ପ ତାଇୟୋ ନୋ ତାମାଗୋ ପ୍ରଜାତିର ୫୨ଟି ଗଛ ଲଗାଇଛନ୍ତି ।