ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ଦଳର ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର ।

245

କନକ ବ୍ୟୁରୋ: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ଆଜି ସେ ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇବା ସହିତ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ନିଜର ଇସ୍ତଫା ପତ୍ରରେ ବିଜେଡି ଛାଡିବା ନେଇ କୌଣସି କାରଣ ଲେଖିନାହାଁନ୍ତି ଦଳର ଏହି ପୂର୍ବତନ ନେତା ।

ତେବେ ସଞ୍ଜୀବ ସାହୁ ବିଜେଡିରୁ ୪ ଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୦୦୩ ବୀରମହାରାଜପୁର ଉପ ନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମ କରି ବିଧାନସଭାରେ ପାଦ ରଖିଥିଲେ । ଏହାପରେ ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ବୀରମହାରାଜପୁର ଟିକେଟ୍ ଦେଇଥିଲା । ଏହାପରେ କିନ୍ତୁ ୨୦୦୯ ଓ ୨୦୧୪ରେ ସେ ଆଠମଲ୍ଲିକ ଆସନରୁ ଲଢି ବିଜୟୀ ହୋଇଥିଲେ । ହେଲେ ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ଆଉ ଆଜି ସେ ଦଳର ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ତେବେ ବିଜେଡି ଛାଡିବା ପରେ ସେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ଦେଇନାହାଁନ୍ତି । ତେବେ ବିଜେପିରେ ସାମିଲ ହେବା ନେଇ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିବାରୁ ଏହା ସମୟ ଉପରେ ନିର୍ଭର କରୁଛି ବୋଲି ସେ ଉତ୍ତର ରଖିଛନ୍ତି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସେ ସକ୍ରିୟ ଭାବେ ଭାଗ ନେବେ ବୋଲି ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ।