ସାତକୋଶିଆ ଇକୋ-ରିଟ୍ରିଟରେ ନିଆଁ ଲାଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସଞ୍ଜୀବ ପଣ୍ଡା ଓ ସନ୍ତୋଷ ବାଲା । କହିଲେ, ଭୋର ୫ ଟାରେ ବିସ୍ଫୋରଣ ଶବ୍ଦ ହୋଇ ଲାଗିଗଲା ନିଆଁ ।

301

କନକ ବ୍ୟୁରୋ: ଇକୋ-ରିଟ୍ରିଟରେ ଭୟାବହ ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି , ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଉଭୟ କହିଛନ୍ତି, ଭୋର ୫ଟାରେ ଏକ ବିସ୍ଫୋରଣ ଭଳି ଶବ୍ଦ ହୋଇ ନିଆଁ ଲାଗି ଯାଇଥିଲା । ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପିଗଲା । ଅନ୍ୟମାନଙ୍କୁ ବାହାରକୁ ଡାକି ଜାଗା ଖାଲି କରିଥିଲେ । ନିଆଁରୁ ଅଳ୍ପକେ ବର୍ତି ଯାଇଥିଲେ ଅଫିସର ଦମ୍ପତି । କିନ୍ତୁ କଟେଜରେ ଇକୋ-ରିଟ୍ରିଟରେ ଲାଗିଥିବା ନିଆଁ ଯୋଗୁଁ ସନ୍ତୋଷ ବାଲାଙ୍କ ମୋବାଇଲ, ଏଟିଏମ , ଟଙ୍କା ଓ ମନପର୍ସ ସହ ସମସ୍ତ ଲଗେଜ ଜଳି ଯାଇଛି ।

ଇକୋ-ରିଟ୍ରିଟରେ ଜଳିଗଲା କଟେଜ । ନରସିଂହପୁର ସାତ କୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଛି । ଭୋର ସମୟରେ ହଠାତ୍ ୩ଟି ଟେଂଟରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପରେ ୩ଟି କଟେଜ ସମ୍ପୁର୍ଣ୍ଣ ଜଳିଯାଇଛି । ଅଳ୍ପକେ ବର୍ତିଯାଇଛନ୍ତି କଟେଜରେ ଥିବା ଆଇପିଏସ ସଂଜୀବ ପଣ୍ଡା ଓ ତାଙ୍କ ପତ୍ନୀ ସନ୍ତୋଷ ବାଲା ।

ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସାତକୋଶିଆ ଇକୋ ରିଟ୍ରିଟରେ କେମିତି ଲାଗିଲା ନିଆଁ ତାର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି ପର୍ଯ୍ୟଟନ ବିଭାଗ । ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ କେହି ଆହତ ହୋଇନଥିବା କହିଛି ପର୍ଯ୍ୟଟନ ବିଭାଗ । ଅଗ୍ନିକାଣ୍ଡ ଘଟଣା ପରେ ଘଟଣାସ୍ଥଳରେ ପହଂଚିଛନ୍ତି ସ୍ଥାନୀୟ ବିଧାୟକ ଦେବୀ ମିଶ୍ର । ଏହାସହ ନରସିଂହପୁର ତହସିଲଦାରଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।