କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଲୋକସଭା ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତଙ୍କୁ ଦଳର ମୁଖ୍ୟ ପ୍ରବକ୍ତା ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ଏହିପଦ ସଂଜୟ ରାୱତଙ୍କ ସମକକ୍ଷ ଭାବେ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଂଜୟ ରାୱତ ଦଳର ଏକମାତ୍ର ମୁଖ୍ୟ ପ୍ରବକ୍ତା ଥିଲେ । ଏବେ ଅରବିନ୍ଦ ସାୱନ୍ତଙ୍କୁ ନିଯୁକ୍ତି ମିିିଳିବା ପରେ ଉଦ୍ଧବ ଠାକରେ ସଂଜୟ ରାୱତଙ୍କ କ୍ଷମତା ହ୍ରାସ କରିଛନ୍ତି ବୋଲି ଆଲୋଚନା ହେଉଛି ।

Advertisment

ଶିବସେନା ବୁଧବାର ଦିନ ଅରବିନ୍ଦ ସାୱନ୍ତଙ୍କୁ ମୁଖ୍ୟ ପ୍ରବକ୍ତା ପଦରେ ନିଯୁକ୍ତି ଦେଇଛି । କହିରଖୁ କି ଅରବିନ୍ଦ ସାୱନ୍ତ ପୂର୍ବରୁ ବି ପାର୍ଟିର ପ୍ରବକ୍ତା ଥିଲେ । ୨୦୧୯ ପୂର୍ବରୁ ଯେତେବେଳେ ବିଜେପି ଓ ଶିବସେନାର ମେଣ୍ଟଥିଲା ସେତେବେଳେ ଶ୍ରୀ ସାୱନ୍ତ ଶିବସେନା ତରଫରୁ ଏକାକୀ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଥିଲେ ।

ଶିବସେନା ପକ୍ଷରୁ ବୁଧବାର ଦିନ ପାର୍ଟିର ମୁଖପତ୍ର ‘ସାମ୍ନା’ ରେ ପାର୍ଟି ପ୍ରବକ୍ତା ମାନଙ୍କର ଏକ ସୂଚୀପତ୍ର ଜାରି କରିଛି । ରାଜ୍ୟସଭା ସଦସ୍ୟ ତଥା ସାମ୍ନାର କାର୍ଯ୍ୟକାରୀ ସଂପାଦକ ସଂଜୟ ରାୱତଙ୍କୁ ପାର୍ଟି ୨୦୨୦ ମସିହା ସେପ୍ଟେମ୍ବର ମାସରେ ମୁଖ୍ୟ ପ୍ରବକ୍ତା ଭାବେ ନିଯୁକ୍ତି ଦେଇଥିଲା । ଅନ୍ୟପଟେ ରାୱତଙ୍କ ସହ ସାୱନ୍ତଙ୍କୁ ପାର୍ଟିର ମୁଖ୍ୟ ପ୍ରବକ୍ତା ଭାବେ ନିଯୁକ୍ତି ଦେବାର କଥା ସେତେବେଳେ ଆସିଲା ଯେତେବେଳେ ରାୱତ ‘ସାମ୍ନା’ ର ମୁଖ୍ୟ ପୃଷ୍ଟାରେ ସହଯୋଗୀ ଦଳ ଏନସିପି ନେତା ତଥା ଠାକରେ ସରକାରରେ ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖଙ୍କୁ ଆକସିଡେଣ୍ଟାଲ ହୋମ ମିନିଷ୍ଟର ବୋଲି ଲେଖିଥିଲେ । ସଂଜୟ ରାୱତ ଦଳର ମୁ୍ଖ୍ୟ ପ୍ରବକ୍ତା ଥିବା ବେଳେ ଅରବିନ୍ଦ ସାୱନ୍ତଙ୍କୁ ପୁଣି ମୁଖ୍ୟ ପ୍ରବକ୍ତା ପଦରେ ନିଯୁକ୍ତି ଦେବାର ଅର୍ଥ ରାୱତଙ୍କ କ୍ଷମତା ହ୍ରାସ କରିବାକୁ ଶିବସେନା ଚାହୁଁଛି ବୋଲି ଅନୁମାନ କରାଯାଇପାରେ       ।