୨୦୦ ଆସନରେ ବି ଜିତିପାରିବନି ବିଜେପି, ପ୍ରଭୁ ଶ୍ରୀରାମ ବି ବଞ୍ଚାଇବେନି । ବିଜେପି ଓ ନୀତିଶଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ ।

175

କନକ ବ୍ୟୁରୋ : ବିଜେପି ସହ ମିଶି ନୀତିଶ କୁମାର ବିହାରରେ ସରକାର ଗଠନ କରିବା ପରେ ବର୍ଷିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ । ବିଜେପିକୁ ଟାର୍ଗେଟ କରି ସଞ୍ଜୟ କହିଛନ୍ତି, ଶିବସେନାରେ ଫାଟ ସୃଷ୍ଟି କର, ହେମନ୍ତ ସୋରେନ ଓ କେଜ୍ରିୱାଲଙ୍କ ଉପରେ ଚଢାଉ କର, ବିଜେପି ଏଭଳି ନାଟକ କେତେଦିନ କରିବ । ଆଗାମୀ ନିର୍ବାଚନରେ ୪୦୦ ଆସନ ତ ଛାଡ ୨୦୦ ଆସନ ବି ହାସଲ କରିପାରିବନି ବିଜେପି । ପ୍ରଭୁ ଶ୍ରୀରାମ ବି ବିଜେପିକୁ ବଞ୍ଚାଇବେନି ।

ଏହାପୂର୍ବରୁ ସୋମବାର ମଧ୍ୟ ନୀତିଶଙ୍କୁ ଟାର୍ଗେଟ କରି ସଞ୍ଜୟ କହିଥିଲେ, ଯଦି କେହି ଭାବୁଥାନ୍ତି ନୀତିଶ ଯିବା ଦ୍ୱାରା ଇଣ୍ଡିଆ ମେଣ୍ଟ ଦୁର୍ବଳ ହୋଇଯିବ ତେବେ ତାହା ଭୁଲ । ବାସ୍ତବରେ ଏଭଳି ଲୋକ ଯିବା ଦ୍ୱାରା ମେଣ୍ଟ ଆହୁରି ଦୃଢ ଓ ମଜବୁତ ହେବ । ନୀତିଶ କୁମାର ଏକାକୀ ବିହାରୀ ନୁହନ୍ତି । ନୀତିଶ କୁମାର ବିଜେପିର ଅସଲି ଚେହେରାକୁ ଚିହ୍ନି ନାହାନ୍ତି । ବିଜେପି ତାଙ୍କୁ ଶେଷ କରିବାକୁ ଯାଉଛି । ବିହାରର ପରିଚୟକୁ ନଷ୍ଟ କରିବାକୁ ବିଜେପି ଏଭଳି ଚାଲ ଚଳାଇଛି ।

ନୀତିଶ କୁମାରଙ୍କୁ ସର୍କସକୁ ଯିବା ଆବଶ୍ୟକ । କାରଣ ସର୍କସରେ ତାଙ୍କର ଅଚ୍ଛେଦିନ ଆସିବ । ନୀତିଶ ପଲଟୁରାମ ସର୍କସ କରିବା ଉଚିତ୍ ଏବଂ ତାହାର ରିଙ୍ଗମାଷ୍ଟରର ଦାୟିତ୍ୱ ବିଜେପି ହାତରେ ଦେବା ଆବଶ୍ୟକ ବୋଲି କହିଛନ୍ତି ସଞ୍ଜୟ ରାଉତ ।