ଦିଲ୍ଲୀ କାହା ବାପାର ନୁହେଁ, କେତେ ଆସିଛନ୍ତି କେତେ ଯାଇଛନ୍ତି : ଶିବସେନା ସାଂସଦ

569

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଧିରେ ଧିରେ ବିଜେପି ଓ ଶିବସେନା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏପରିକି ଉଭୟ ଦଳର ନେତାମାନେ ଗଣମାଧ୍ୟମ ଆଗରେ ବିପକ୍ଷ ନେତାଙ୍କ ଉପରେ ପ୍ରବଳ ବର୍ଷୁଛନ୍ତି । ତେବେ ଏହାରି ମଧ୍ୟରେ ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବରେ ସରକାର ଗଢିବା ଲାଗି ପ୍ରସ୍ତୁତ ହେଉଛନ୍ତି । ଆଉ ଏତିକି ବେଳେ ପୁଣି ଥରେ ବିଜେପି ଉପରେ ବର୍ଷିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ । ସେ ଦୃଢୋକ୍ତିର ସହ କହିଛନ୍ତି ଆମକୁ ୧୭୦ ବିଧାୟକଙ୍କ ସମର୍ଥନ ରହିଛି । ଡିସେମ୍ବର ସୁଦ୍ଧା ଆମେ ସରକାର ଗଠନ କରିବୁ । ଆମ ପାଖରେ ବିଧାୟକଙ୍କ ସମର୍ଥନ ରହିଥିବାରୁ ବିଧାନସଭାରେ ଆମେ ବହୁମତ ଦେଖାଇବୁ ଓ ୫ ବର୍ଷ ଶାସନ ମଧ୍ୟ କରିବୁ । ଆମ ମଧ୍ୟରେ ଆଲୋଚନା ସରଛି ଏବଂ କୌଣସି ବିଧାୟକ ବିଜେପିକୁ ସମର୍ଥନ କରିବେ ନାହିଁ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି ।

ଶରଦ ପାୱାର ଜଣେ ଅନୁଭବି ନେତା ଓ ସେ ସରକାର ଗଢିବା ଲାଗି ଚାହୁଁଛନ୍ତି । ତେଣୁ ତାଙ୍କୁ ନେଇ ଆମେ ଆଗାମୀ ପାଞ୍ଚବର୍ଷ ପର୍ଯ୍ୟନ୍ତ ସରକାରରେ ରହିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସଂସଦରେ ତାଙ୍କ ଦଳର ଆସନ ପରିବର୍ତିତ କରାଯାଇଥିବା ସମ୍ବନ୍ଧରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ ପରିବର୍ତନକୁ ନେଇ ଆମେ ବିଚଳିତ ନୁହେଁ । କିନ୍ତୁ ମନେ ରଖିବା ଦରକାର, “ଦିଲ୍ଲୀ କାହା ବାପାର ନୁହେଁ” । ମହାରାଷ୍ଟ୍ରରେ ସରକାର ଗଠନ ହେବା ନିଶ୍ଚିତ । ବର୍ତମାନ ସମୟରେ ଏନଡିଏ ସହ ନେତା ତ ନେତା ମହାରାଷ୍ଟ୍ରର କୌଣସି ଜନତା ନାହାନ୍ତି ବୋଲି ସଞ୍ଜୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନଡିଏର ମାଲିକ ସେମାନେ । ଏନଡିଏର ମୂଳଦୂଆ ଆମେ ପକାଇଥିଲୁ । ସମସ୍ତେ ସେମାନଙ୍କୁ ଛାଡି ଚାଲିଗଲେଣି । କେବଳ ଶିବସେନା ଓ ଅକାଳି ଦଳ ଥିଲା । ଏନିଡିଏକୁ ପ୍ରଶ୍ନ ପଚାରି ସଞ୍ଜୟ କହିଛନ୍ତି ଯେ, ସେ ଦଳର ଅଧ୍ୟକ୍ଷ କିଏ? କିଏ ସମସ୍ତ ବୈଠକ ଡକାଏ? ଏପରି ଅନେକ ପ୍ରଶ୍ନ ରଖିଛନ୍ତି ସଞ୍ଜୟ । କହିବାକୁ ଗଲେ, ଧିରେ ଧିରେ ଶିବସେନା ଓ ଏନଡିଏ ମଧ୍ୟରେ ଫାଟ ବଢିବାରେ ଲାଗିଛି । ଆଉ ଏପରି ସମୟରେ ସଞ୍ଜୟ ଦେଇଥିବା ମନ୍ତବ୍ୟ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି ।