ବୀର ସାବରକରଙ୍କୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଶିବସେନା ନେତା । କହିଲେ, ଆଣ୍ଡାମାନ ଜେଲରେ ଦୁଇ ଦିନ ବିତାନ୍ତୁ ବିରୋଧ କରୁଥିବା ଲୋକ ।

162

କନକ ବ୍ୟୁରୋ : ମହାରାଷ୍ଟ୍ରରେ ମେଂଟ ସରକାରରେ ଶିବସେନା ଏବଂ ବିରୋଧୀ ମୁଦ୍ରାରେ ଶିବସେନା ନେତା ସଂଜୟ ରାଉତ । ବୀର ସବରକରଙ୍କୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ରାଉତ । ସବରକରଙ୍କୁ ବିରୋଧ କରୁଥିବା ଲୋକ ଆଣ୍ଡାମାନ ଜେଲରେ ଦୁଇ ଦିନ ବିତାନ୍ତୁ ବୋଲି ସଂଜୟ ରାଉତ କହିଛନ୍ତି । ଯାହାକୁ ନେଇ ପାଲଟା ଆକ୍ରମଣ କରିଛି କଂଗ୍ରେସ ।

ବୀର ସାବରକରଙ୍କୁ ନେଇ ଗତକିଛି ଦିନ ହେଲା ଜାରି ରହିଛି ରାଜନୈତିକ ବୟାନବାଜୀ । ଏହାକୁ ନେଇ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ସେ କହିଛନ୍ତି ଯେଉଁମାନେ ବୀର ସାବରକରଙ୍କୁ ବିରୋଧ କରନ୍ତି ସେମାନେ କେଉଁ ଦଳ ବା ବିଚାରଧାରାର ହୋଇନଥାନ୍ତି । ଯେଉଁଠାରେ ସାବରକରଙ୍କୁ ବନ୍ଦୀ କରାଯାଇଥିଲା ସେହି ଆଣ୍ଡାମାନ ଜେଲରେ ସେମାନଙ୍କୁ ଦୁଇ ଦିନ ରଖାଯାଉ ବୋଲି ମଧ୍ୟ କହିଛନ୍ତି ସଂଜୟ ରାଉତ । ବୀର ସାବରକରଙ୍କୁ ନେଇ କଂଗ୍ରେସ ସେବାଦଳର ପୁସ୍ତକକୁ ନେଇ ସମସ୍ତ ବିବାଦ ଆରମ୍ଭ ହୋଇଛି । ‘ବୀର ସାବରକର କେତେ ବୀର’ ନାମକ ଏହି ପୁସ୍ତକରେ ଉଲ୍ଲେଖ ତଥ୍ୟକୁ ବିରୋଧ କରୁଛନ୍ତି ସଂଜୟ ରାଉତ ।

ସେପଟେ ଏହା ସଂଜୟ ରାଉତରଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ । ତେବେ ସଂଜୟ ରାଉତଙ୍କ ବୟାନକୁ ସମର୍ଥନ ଜଣାଇଛନ୍ତି ବୀର ସାବରକରଙ୍କ ପରିବାର ।

ଅପରପକ୍ଷରେ ବୀର ସାବରକର ପ୍ରସଙ୍ଗରେ ପୂର୍ବରୁ ବିବାଦୀୟ ବୟାନ ଦେଇଆସିଛି କଂଗ୍ରେସ । ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ସାବରକରଙ୍କୁ ଭାରତ ରତ୍ନ କଥା ଉଲ୍ଲେଖ କରିଥିବା ବେଳେ ଏ ନେଇ ଦାବି ମଧ୍ୟ କରୁଥିଲା ଶିବସେନା । ତେବେ ବୀର ସାବରକରଙ୍କୁ ଭାରତ ରତ୍ନ ଦେବା ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରିବ ବୋଲି ଖୋଲାଖୋଲି କହିଥିଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ ।

ମହାରାଷ୍ଟ୍ରରେ କଂଗ୍ରେସ ସହ ଶିବସେନା ମିଳିତ ଭାବେ ସରକାର ଗଠନ କରିଥିଲେ ସୁଦ୍ଧା ଉଭୟ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି । ଏପରିକି କିଛି ଦିନ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ସଂଜୟ ରାଉତ । ଅଣ୍ଡରୱାର୍ଲଡ ଡନ୍ କରିମ୍ ଲାଲା ସହ ଇନ୍ଦିରାଙ୍କ ସମ୍ପର୍କ ଥିବା କହିଥିଲେ ସଞ୍ଜୟ । ଅବଶ୍ୟ ବିବାଦ ବଢୁଥିବା ଦେଖି ସେ ନିଜ ବୟାନରୁ ଓହରି ଯାଇଥିଲେ । କୁହାଯାଉଛି ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ସଂଜୟଙ୍କ ଭାଇଙ୍କୁ ସ୍ଥାନ ନମିଳିବାରୁ ଖପ୍ପା ହୋଇଯାଇଛନ୍ତି ସଂଜୟ ରାଉତ ।