ଶିବସେନାର ସଂସଦୀୟ ଦଳର ନେତା ପଦରୁ ବହିଷ୍କାର ହେଲେ ସଂଜୟ ରାଉତ । ଲୋକସଭା ସାଂସଦ ଗଜାନନ କାର୍ତିକରଙ୍କୁ ମିଳିଲା ନୂଆ ଦାୟିତ୍ୱ

240

କନକ ବ୍ୟୁରୋ : ଶିବସେନାର ସଂସଦୀୟ ଦଳର ନେତା ପଦରୁ ହଟିଲେ ସଂଜୟ ରାଉତ । ତାଙ୍କ ସ୍ଥାନରେ ଲୋକସଭା ସଦସ୍ୟ ଗଜାନନ କାର୍ତିକରଙ୍କୁ ନିଯୁକ୍ତାକ କରାଯାଇଛି । ନିଯୁକ୍ତି ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ଚିଠି ଲେଖି ଅବଗତ କରାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଶିବସେନାର ଶୀର୍ଷ ନେତା ଏକନାଥ ସିନ୍ଦେ । ସଂସଦ ଭବନର ତୃତୀୟ ମହଲାରେ ଥିବା ସଂସଦୀୟ ଦଳର କାର୍ଯ୍ୟାଳୟରେ ଶିବସେନା ନେତା କିର୍ତିକରଙ୍କୁ ସ୍ୱାଗତ କରିଥିଲେ । ଲୋକସଭାରେ ୧୮ ସଦସ୍ୟ ବିଶିଷ୍ଟ ଶିବସେନାର ୪ଜଣ ସାଂସଦ ଉଦ୍ଧବ ଠାକରେଙ୍କ ପ୍ରତି ଆନୁଗତ୍ୟ ଦେଖାଇଛନ୍ତି । ଗତବର୍ଷ ଏକନାଥ ସିନ୍ଦେ, ଠାକରେଙ୍କ ଉପରେ ପାର୍ଟିର ମୂଳ ଆଦର୍ଶରୁ ଦୂରେଇବା ଏବଂ ଚିରପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ, ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ଅଭିଯୋଗ ଲଗାଇ ଦଳର ବିଭାଜନ କରିଥିଲେ । ଗତମାସରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନା ମାନ୍ୟତା ପ୍ରଦାନ କରିଥିଲେ । ଏହାସହ ଦଳର ଚିହ୍ନ ଓ ମୂଳ ନାମ ମଧ୍ୟ ସିନ୍ଦେ ଗୋଷ୍ଠୀକୁ ଆବଣ୍ଟନ କରିଥିଲେ ।