କନକ ବ୍ୟୁରୋ : ଉଦ୍ଧବ ଗୋଷ୍ଠୀର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓତ୍ୱଙ୍କୁ ହତ୍ୟା ଧମକ । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ନାଁ ନେଇ ସଞ୍ଜୟଙ୍କୁ ହତ୍ୟା କରିବାକୁ ଧମକ ମିଳିଛି । ଏନେଇ ଥାନାରେ ଏଫଆଇଆର ଦେଇଛନ୍ତି ସଞ୍ଜୟ । ଧମକ ଦେଇଥିବା ବ୍ୟକ୍ତି ମେସେଜରେ କହିଛନ୍ତି, ତୁମର ବି ମୁସେୱାଲାଙ୍କ ଭଳି ଅବସ୍ଥା କରିବୁ । ସଞ୍ଜୟଙ୍କୁ ହିନ୍ଦୁ ବିରୋଧୀ ବୋଲି କହି ଗାଳି ଦିଆଯାଇଛି । ଏହି ମାମଲାରେ ପୁନେ ପୋଲିସ ଗତରାତିରେ ଜଣେ ସନ୍ଦିଗ୍ଧଙ୍କୁ ହେପାଜତରେ ନେଇଛି ।
ଲରେନ୍ସ ବିଷ୍ଣୋୟୀ ନାଁରେ ମିଳିଥିବା ଧମକରେ ସଞ୍ଜୟଙ୍କୁ କୁହାଯାଇଛି ଯେ, ଯଦି ଦିଲ୍ଲୀରେ କେବେ ଦେଖିବାକୁ ମିଳୁ ତେବେ ଏକେ-୪୭ରେ ଉଡାଇ ଦେବି । ମୁସେବାଲା ଭଳି ଅବସ୍ଥା ହେବ । ସଲମାନ ଓ ତୁ ଫିକ୍ସ । ପ୍ରସ୍ତୁତ ହୋଇକି ରୁହ । ଏହି ଧମକ ମିଳିବା ପରେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ସଞ୍ଜୟ । ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ସଞ୍ଜୟଙ୍କୁ ମାରିବାକୁ ଧମକ ଦିଆଯାଇଥିଲା ।
ଏହାପୂର୍ବରୁ ଲରେନ୍ସ ଗ୍ୟାଙ୍ଗ ତରଫରୁ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା । ଆଉ ଏନେଇ ମାମଲା ରୁଜୁ ହେବା ସହ ସଲମାନଙ୍କୁ ସୁରକ୍ଷାକୁ ମଧ୍ୟ ଦ୍ୱିଗୁଣିତ କରାଯାଇଥିଲା ।
Follow Us