ସିନ୍ଦେ-ଫଡନବୀସ ସରକାର ବିରୋଧରେ ଡେଥ୍ ୱାରେଣ୍ଟ ଜାରି ହୋଇ ସାରିଛି, ଖାଲି ତାରିଖ ଘୋଷଣା ବାକି ଅଛି । କାହିଁକି ଏମିତି କହିଲେ ସଞ୍ଜୟ ରାୱତ ।

375

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାୱତଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଛି । ସଞ୍ଜୟ କହିଛନ୍ତି, ମହାରାଷ୍ଟ୍ରରେ ସିନ୍ଦେ-ଫଡନବୀସ ସରକାରଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇ ସାରିଛି । କେବଳ ତାରିଖ ଘୋଷଣା ବାକି ଅଛି । ମୁଁ ପୂର୍ବରୁ କହିଥିଲି ଫେବୃଆରୀରେ ହିଁ ମହାରାଷ୍ଟ୍ରରେ ସରକାର ଭାଙ୍ଗିଯିବ । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବାରେ ବିଳମ୍ବ ହେବା କାରଣରୁ ଏହି ସରକାରର ଲାଇଫଲାଇନ ବଢିଗଲା । କିନ୍ତୁ ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ସରକାର ଭାଙ୍ଗିବ ନିଶ୍ଚିତ । ସଞ୍ଜୟଙ୍କ ଏଭଳି ବୟାନ ହିଁ ଦର୍ଶାଉଛି ଯେ, ମହାରାଷ୍ଟ୍ରରେ ସବୁକିଛି ଠିକ୍ ଚାଲିନାହିଁ ।

ସଞ୍ଜୟଙ୍କ ଏହି ବୟାନ ଦର୍ଶାଉଛି ଯେ, ସୁପ୍ରିମକୋର୍ଟରୁ ଆସିବାକୁ ଥିବା ରାୟ ଉଦ୍ଧବ ଗୋଷ୍ଠୀ ସପକ୍ଷରେ ଯାଇପାରେ । କାରଣ ସୁପ୍ରିମକୋର୍ଟଙ୍କ ରାୟ ହିଁ ସ୍ପଷ୍ଟ କରିବ ମହାରାଷ୍ଟ୍ର ରାଜନୀତି ଆଗକୁ କେଉଁ ମୋଡ ନେବ? ମହାରାଷ୍ଟ୍ରରେ ସରକାରକୁ ନେଇ ଲାଗି ରହିଥିବା ଅନିଶ୍ଚିନ୍ତତାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇବ ।

ସୁପ୍ରିମ କୋର୍ଟ ଯଦି ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ଆଦେଶକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ ଏହା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପାଇଁ ବଡ ଝଟକା ହେବ । ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେବାକୁ ପଡିପାରେ । କାରଣ ସୁପ୍ରିମକୋର୍ଟଙ୍କ ୨୦୧୬ରେ ଅରୁଣାଚଳ ପ୍ରଦେଶ ସରକାରଙ୍କୁ ନେଇ ଦେଇଥିବା ରାୟର ପୁନରାବୃତ୍ତି ମହାରାଷ୍ଟ୍ର କ୍ଷେତ୍ରରେ ଦେଖିବାକୁ ମିଳିବ ବୋଲି ଉଦ୍ଧବ ଗୋଷ୍ଠୀ ଆଶା ରଖିଛି । ୨୦୧୬ରେ କଂଗ୍ରେସରେ ବିଦ୍ରୋହ କରି ବିଜେପି ସମର୍ଥନରେ କାଲିଖୋ ପୁଲ ସରକାର ଗଢିଥିଲେ । କିନ୍ତୁ ୪ ମାସ ପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କାଲିଖୋଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।
ସେହିଭଳି ସୁପ୍ରିମକୋର୍ଟ ଯଦି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି ଗ୍ରହଣ କରନ୍ତି ତେବେ ସିନ୍ଦେଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇପାରନ୍ତି । ଅଥାର୍ତ ରାଜ୍ୟରେ ଏବେ ଯେମିତି ସରକାର ଚାଲିଛି ଆଗକୁ ମଧ୍ୟ ସେମିତି ସରକାର ଚାଲିବ । ସେହିଭଳି ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ପ୍ରସଙ୍ଗରେ ମଧ୍ୟ ସୁପ୍ରିମକୋର୍ଟ ରାୟ ଶୁଣାଇବେ । ଏହାପୂର୍ବରୁ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ଶିବସେନାର ନାଁ ଓ ଚିହ୍ନ ପ୍ରଦାନ କରିଥିଲେ ।ଯାହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଉଦ୍ଧବ ଗୋଷ୍ଠୀ । କିନ୍ତୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିରେ ରୋକ ଲଗାଇନଥିଲେ ସୁପ୍ରିମକୋର୍ଟ ବରଂ ସବୁ ପକ୍ଷକୁ ଜବାବ ରଖିବାକୁ ସୁଯୋଗ ଦେଇଥିଲେ । ତେଣୁ ସବୁ ପକ୍ଷର ତର୍କ ଶୁଣିବା ପରେ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ରାୟ ଆସିବାକୁ ଯାଉଛି ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । କାରଣ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିର କିଛି ବିଧାୟକ ବିଜେପି ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏନସିପିର ମୋଟ ୫୩ ବିଧାୟକଙ୍କ ମଧ୍ୟରୁ ୩୦ରୁ ୩୪ ଜଣ ବିଧାୟକ ସିନ୍ଦେ-ଫଡ଼ନବୀଶ ସରକାରରେ ସାମିଲ ହୋଇପାରନ୍ତି । ଯଦି ସିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ଝଟକା ଲାଗେ ତେବେ ଅଜିତ ପାୱାର ଏନସିପିରୁ ସମ୍ପର୍କ ତୁଟାଇ କିଛି ବିଧାୟକଙ୍କ ସହ ବିଜେପିରେ ମିଶି ସରକାର ଗଢିପାରନ୍ତି । ଏଭଳିସ୍ଥିତିରେ ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ମହରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।