ମହାରାଷ୍ଟ୍ର ରାଜନୀତିରେ ଝଡ । ବିଜେପିର ନେତା ଦେବେନ୍ଦ୍ର ଫଡନବିସଙ୍କୁ ଶିବସେନା ମୁଖପାତ୍ର ସଂଜୟ ରାଉତ ଭେଟିବା ନେଇ ଉଠିଲା ବିବାଦ : ସଂଜୟଙ୍କ ସଫେଇ, ସାକ୍ଷାତକାର ପାଇଁ ଭେଟିଥିଲି : କାହାକୁ ଭେଟିବା ଅପରାଧ ନୁହେଁ

574

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଝଡ । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ମହାରାଷ୍ଟ୍ର ରାଜନୀତି ଏହାକୁ ନେଇ କଡଲେଉଟାଇବା ନେଇ ଚର୍ଚା ହେଉଛି । ସାକ୍ଷାତକାର ପରେ ଚର୍ଚା ହେଉଛି ଏନଡିଏ ମେଂଟକୁ ଫେରିବାକୁ ଶିବସେନା ଉଦ୍ୟମ କରିବ କି ।

ଏନଡିଏର ପୁରୁଣା ସହଯୋଗୀ ପଂଜାବର ଅକାଳୀ ଦଳ ଏନଡିଏରୁ ବାହାର ହୋଇଯାଇଛି । ଏପରି ସମୟରେ ଫଡନବିସଙ୍କ ସହ ସାକ୍ଷାତ କରିଛନ୍ତି ସଂଜୟ ରାୱତ । ଗୋଟିଏ ପଟେ ସୁଶାନ୍ତ ସିଂ ରାଜପୁତ୍ ହତ୍ୟା ମାମଲା, ବଲିଉଡରେ ଡ୍ରଗ୍ସ କାରବାର ଏବଂ କଙ୍ଗନା ରଣାୱତଙ୍କ କୋଠା ଭାଙ୍ଗିବା ପରି ଘଟଣାରେ ମହାରାଷ୍ଟ୍ର ସରକାର ଏବେ ଚର୍ଚାରେ ରହିଛି । ଏସବୁ ଭିତରେ ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ସଂଜୟ ରାୱତ ।

ଏହାକୁ ନେଇ ସଂଜୟ କହିଛନ୍ତି ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି । କାହାକୁ ଭେଟିବା ଅପରାଧ ନୁହେଁ । ତେବେ ସାମନା ପତ୍ରିକା ପାଇଁ ସାକ୍ଷାତକାର ନେବାକୁ ଫଡନବିସଙ୍କୁ ସେ ଭେଟିଥିବା ସଫେଇ ରଖିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ଏହି ଭେଟଘାଟକୁ ନେଇ ଚର୍ଚା ଜୋର ହୋଇଛି । ଆଶା କରାଯାଉଛି ସଂଜୟ ରାଉତ ଓ ଦେବେନ୍ଦ୍ର ଫଡନବିସଙ୍କ ସାକ୍ଷାତକାର ଜାତୀୟ ରାଜନୀତିରେ ଅଙ୍କ ବଦଳାଇପାରେ ।