ମହାରାଷ୍ଟ୍ରରେ ହେବକି ଶିବସେନା-ବିଜେପି ମେଣ୍ଟ । ପରସ୍ପରର ବନ୍ଧୁ ବୋଲି ପରିଚୟ ଦେଲେ ଉଭୟ ଦଳ ନେତା ।

270

କନକ ବ୍ୟୁରୋ : ଫାଟି ଯାଇଥିବା ସମ୍ପର୍କ ପୁଣିଥରେ ଯୋଡି ହେବାକୁ ଯାଉଛି । ଶିବସେନା ଓ ବିଜେପି ମଧ୍ୟରେ ବୁଝାମଣା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଆଉ ଏଭଳି ଆଭାଷ ମିଳିଛି, ଶିବସେନା ନେତା ସଂଜୟ ରାଉତଙ୍କ ବୟାନରୁ । ନିକଟରେ ସଂଜୟ ରାଉତ କହିଛନ୍ତି ବିଜେପି ସହ ଶିବସେନାର ସମ୍ପର୍କ ଆମିର ଖାନ୍ ଓ କିରଣ ରାଓଙ୍କ ସମ୍ପର୍କ ଭଳି ।

ଶିବସେନା ନେତାଙ୍କ ବିଜେପି ପ୍ରେମ । ‘ଆମିର-କିରଣଙ୍କ ଭଳି ବିଜେପି-ଶିବସେନା ସମ୍ପର୍କ’ । ମହାରାଷ୍ଟ୍ରରେ ପୁଣିଥରେ ବିଜେପି ଓ ଶିବସେନା ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଦଳର ନେତା ପରସ୍ପରର ପ୍ରଶଂସା କରିବାରେ ପଛାଉ ନାହାନ୍ତି । ଏହି ଭିତରେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି ବିଜେପି ସହ ତାଙ୍କ ସମ୍ପର୍କ ଭାରତ-ପାକିସ୍ତାନ ପରି ନୁହେଁ ବରଂ ଆମିର ଖାନ୍ ଓ କିରଣ ରାଓଙ୍କ ଭଳି । ଆମିର ଖାନ ଓ କିରଣ ରାଓ ଯେପରି ଅଲଗା ହେବା ପରେ ପରସ୍ପରର ଭଲ ବନ୍ଧୁ ପରି ପରିଚୟ ଦେଉଛନ୍ତି ସେହିପରି ବିଜେପି ଓ ଶିବସେନା ଅଲଗା ହେବା ପରେ ବି ସେମାନଙ୍କ ମଧ୍ୟରେ ବନ୍ଧୁତା ରହିଛି ।

ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଥିଲେ ଶିବସେନା ସହ ତାଙ୍କର କୌଣସି ଶତ୍ରୁତା ନାହିଁ । ଫଡନବିସଙ୍କ ଏହି ବୟାନ ପରେ ଏହି ଦୁଇ ରାଜନୈତିକ ଦଳ ମଧ୍ୟରେ ପୁଣିଥରେ ମେଂଟ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ବନ୍ଧୁତା ରହିବା ଅଲଗା କଥା ଆଉ ମେଣ୍ଟ ଗଢିବା ଅଲଗା କଥା ।

ରବିବାର ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ଫଡନବିସ୍ କହିଛନ୍ତି ଶିବସେନା ସହ କିଛି କିଛି ବିଷୟ ନେଇ ମତଭେଦ ରହିଛି । ରାଜନୀତିରେ କିନ୍ତୁ, ପରନ୍ତୁ ନଥାଏ । ଶିବସେନା ସହ ମେଂଟ ହେବ କି ନାହିଁ, ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ । ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ ବିଜେପି-ଶିବସେନା ସମ୍ପର୍କ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଆଉ ଏବେ ଉଭୟ ଦଳର ନେତା ମଧ୍ୟ ବନ୍ଧୁତାର କଥା କହୁଛନ୍ତି ।