ମହାମାରୀ ମୁକାବିଲା ଭିତରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସାଙ୍ଘାତିକ ବୟାନ୍ । କହିଲେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପାଇଁ ଦେଶରେ ବ୍ୟାପିଲା କରୋନା ।

1,560

କନକ ବ୍ୟୁରୋ : ଶିବସେନା ନେତା ସଞ୍ଜୟ ରାଉତ ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଅଜବ ଯୁକ୍ତି ରଖିଛନ୍ତି । ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପାଇଁ କରୋନା ଭାଇରସର ବିସ୍ତାର ହୋଇଛି ବୋଲି ସେ କହିଛନ୍ତି । ସଞ୍ଜୟ ରାଉତଙ୍କ କହିବା ମୁତାବକ, ଗୁଜରାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଯୋଗୁଁ ଏହି ସଂକ୍ରମଣ ପରେ ମୁମ୍ବାଇ ଏବଂ ଦିଲ୍ଲୀରେ ବ୍ୟାପିଗଲା ।

 

୨୪ ଫେବୃଆରୀରେ ଅହମ୍ମଦାବାଦରେ ଏକ ରୋଡ୍ ସୋରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ । ଏହା ପରେ ଦୁଇ ନେତା ମୋଟେରା କ୍ରିକେଟ୍ ଗ୍ରାଉଣ୍ଡରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଶିବସେନା ମୁଖପତ୍ର ‘ସାମନା’ ରେ ତାଙ୍କର ସାପ୍ତାହିକ ପ୍ରବନ୍ଧରେ ରାଉତ ଲେଖିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଏକତ୍ରିତ ହେବା କାରଣରୁ ଗୁଜରାଟରେ କରୋନା ଭାଇରସ୍ ବ୍ୟାପିଛି ବୋଲି ଅସ୍ୱୀକାର କରାଯାଇପାରିବ ନାହିଁ ।

ଟ୍ରମ୍ପଙ୍କ ସହିତ ଆସିଥିବା ଦଳର କିଛି ସଦସ୍ୟ ମଧ୍ୟ ମୁମ୍ବାଇ, ଦିଲ୍ଲୀ ଯାଇଥିଲେ, ଯେଉଁ କାରଣରୁ ସଂକ୍ରମଣ ବ୍ୟାପିଗଲା । ଗୁଜୁରାଟରେ କରୋନା ଭାଇରସର ପ୍ରଥମ ମାମଲା ୨୦ ମାର୍ଚ୍ଚରେ ହୋଇଥିଲା । ସେହିପରି ରାଉତ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଲା ବନ୍ଦ ବିଫଳତା ବିଷୟରେ ସଠିକ୍ ବିଶ୍ଳେଷଣ କରିଛନ୍ତି । ରାଉତ କହିଛନ୍ତି ଯେ ମହାମାରୀକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ତାଙ୍କର କୌଣସି ଯୋଜନା ନଥିଲା ।