ସରକାର ଗଠନ ପୂର୍ବରୁ ଶିବସେନାର ବରିଷ୍ଠ ନେତା ଅସୁସ୍ଥ । ହସ୍ପିଟାଲରେ ହେଲେ ଭର୍ତ୍ତି, ସେପଟେ ଦଳୀୟ ବିଧାୟକଙ୍କୁ ଫେରାଇ ଆଣିବାକୁ କଂଗ୍ରେସ ପଠାଇଲା ଚାଟାର୍ଡ ପ୍ଲେନ ।

881

ମହାରାଷ୍ଟ୍ରରେ ସରକାର ଗଠନ ନେଇ ମହାମନ୍ଥନ ଚାଲିଥିବା ବେଳେ ଶିବସେନାର ଟାଣୁଆ ତଥା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି । ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ଶିବସେନାକୁ ଫ୍ରଣ୍ଟଫୁଟରେ ରଖିଛନ୍ତି ସଞ୍ଜୟ । ବିଜେପିକୁ ସିଧାସଳଖ ଟାର୍ଗେଟ କରିବା ହେଉ ବା ସରକାର ଗଠନ ପାଇଁ ଏନସିପି ସହ ଆଲୋଚନା, ପ୍ରତ୍ୟେକ କ୍ଷେତ୍ରରେ ସଞ୍ଜୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା ।

ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଏଭଳି ସମୟରେ ଖରାପ ହୋଇଛି ଯେତେବେଳେ ରାଜ୍ୟପାଳ ଶିବସେନାକୁ ସରକାର ଗଢିବା ପାଇଁ ସୁଯୋଗ ଦେଇଛନ୍ତି । ସନ୍ଧ୍ୟା ୭.୩୦ ସୁଦ୍ଧା ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଶିବସେନା ନିଜର ଆଭିମୁଖ୍ୟ ଜଣାଇବାକୁ ପଡିବ । ତେବେ ଶିବସେନା ସହ ମିଶି ସରକାର ଗଠନ ନେଇ ଏଯାଏଁ ଗ୍ରୀନ୍ ସିଗନାଲ୍ ଦେଇନାହାନ୍ତି ଏନସିପି-କଂଗ୍ରେସ । ଏହାପୂର୍ବରୁ ବଡ ଦଳ ଭାବେ ବିଜେପିକୁ ପ୍ରଥମେ ସରକାର ଗଢିବାକୁ ସୁଯୋଗ ଦେଇଥିଲେ ରାଜ୍ୟପାଳ । ତେବେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ସରକାର ଗଢିବାକୁ ମନା କରିଥିଲା ବିଜେପି ।

ସନ୍ଧ୍ୟା ୬ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ଶିବସେନାର ଏକ ପ୍ରତିନିଧି ଦଳ ଯିବାକୁ ଥିବା ବେଳେ ଏହାପୂର୍ବରୁ କଂଗ୍ରେସ ନିଜର ଦଳୀୟ ବିଧାୟକଙ୍କୁ ଜୟପୁରରୁ ମୁମ୍ବାଇକୁ ଆଣିବା ପାଇଁ ଚାଟାର୍ଡ ପ୍ଲେନ ପଠାଇଛି ।