କନକ ବ୍ୟୁରୋ : ଚାପ ପରେ ମତ ବଦଳାଇଲେ କି ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ? ଏକ ଭିଡିଓ ଜାରି କରି କହିଛନ୍ତି ସେ ଜଣେ ମାନସିକ ରୋଗୀ । ୨୦୨୦ରେ ତାଙ୍କୁ କରୋନା ହୋଇଥିଲା । ସେବେଠାରୁ ସେ ମାନସିକ ଓ ଶାରୀରିକ ଅସୁସ୍ଥ ଅଛନ୍ତି । ଏଥିପାଇଁ ସେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି । ହେଲେ କିଛି ଦିନ ହେବ ସେ ଔଷଧ ଖାଉନାହାନ୍ତି । ମାନସିକ ଅସୁସ୍ଥତା କାରଣରୁ ସେ ଏପରି କହିଥିବା କହିଛନ୍ତି । ଯାହା କହିଛନ୍ତି, ଭୁଲ କହିଛନ୍ତି । ଭୁଲ ସ୍ୱୀକାର କରିବା ସହ ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଛନ୍ତି ।

Advertisment

ପୁରୀ ପୋଲିସ ବହୁତ ଭଲ ଆଉ ଭଲ କାମ କରୁଥିବା କହିଛନ୍ତି ସଞ୍ଜୟ ପଣ୍ଡା । ତେବେ ସେ ଏହି ଭିଡିଓ ନିଜ ଇଚ୍ଛାରେ କରିଛନ୍ତି ନା କାହା ଚାପରେ କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଗତକାଲି ପୁରୀ ପୋଲିସ ବିରୋଧରେ ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରିଥିଲେ ସଞ୍ଜୟ ପଣ୍ଡା । ଏବେ ହଠାତ୍ କିପରି ବଦଳିଗଲା ବୟାନ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଭିଯୋଗ ଆଣିବା ପରେ ତାଙ୍କ ଉପରେ ବିଭାଗୀୟ ଚାପ ରହିଲା କି ? ନା ପୋଲିସ ବିରୋଧରେ ଅଭିଯୋଗ ଆଣିଥିବାରୁ କୌଣସି ପ୍ରକାର ଭୟରେ ଅଛନ୍ତି ?

ଅଭିଯୋଗ ଆଣିବା ପରେ ଛୁଟି ମାଗିଲେ ସଞ୍ଜୟ ପଣ୍ଡା । ପୁରୀ ଅବକାରୀ ବିଭାଗର ଏଇ ଏମିତି ଜଣେ ଅଫିସର ଯିଏ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସି ପୋଲିସ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ । ହେଲେ ସେହି ଦିନ ୭ ଦିନ ପାଇଁ ଛୁଟିରେ ଯିବାକୁ ଆବେଦନ କରିଛନ୍ତି । ଆସନ୍ତା ୯ରୁ ୧୫ ତାରିଖ ୭ ଦିନ ଛୁଟିରେ ଯିବା ପାଇଁ ପୁରୀ ଏକ୍ସସାଇଜ୍ ସୁପରିନଟେଣ୍ଡେଣ୍ଟ୍ ଅଫିସରଙ୍କୁ ଛୁଟି ମାଗିଛନ୍ତି ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ।

ହେଡକ୍ୱାର୍ଟର ଛାଡି ଯିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ପୋଲିସ ବିଭାଗରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ଅଭିଯୋଗ ଆଣି ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ । ଗତକାଲି କନକ ନ୍ୟୁଜ୍ କ୍ୟାମେରା ସାମ୍ନାରେ ବସି ପୋଲିସ କେମିତି ବଟି ନିଏ ଓ ନିଶା ମାଫିଆଙ୍କ ସହ କିପରି ମଧୁଚନ୍ଦ୍ରିକା ଚାଲେ ଗୋଟି ଗୋଟି କରି ବଖାଣିଥିଲେ । ହେଲେ ଏହାର ଠିକ୍ ପରେ ପରେ ଛୁଟି ମାଗିବାକୁ ନେଇ ବଢିଛି ସନ୍ଦେହ ।