ଦେଶର ଚର୍ଚ୍ଚିତ ବିମାନ ଦୁର୍ଘଟଣା, ସଞ୍ଜୟ ଗାନ୍ଧୀଙ୍କ ଠାରୁ ବିପିନ ରାୱତ ପର୍ଯ୍ୟନ୍ତ

366

କନକ ବ୍ୟୁରୋ : ଗତକାଲି ଏକ ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଭଳି ଦେଶରେ ଅନେକ ବିମାନ ଦୁର୍ଘଟଣା ହୋଇଛି । ବିଶେଷ କରି ବିମାନ ଦୁର୍ଘଟଣାରେ ଦେଶର ଅନେକ ବରିଷ୍ଠ ବ୍ୟକ୍ତି ବି ପ୍ରାଣ ହରାଇଛନ୍ତି ।
୧୯୭୩ ମସିହାରେ ପ୍ରଥମ ଚର୍ଚ୍ଚିତ ବିମାନ ଦୁର୍ଘଟଣାରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ଇସ୍ପାତ ବିଭାଗର ମନ୍ତ୍ରୀଥିବା ୫୬ ବର୍ଷିୟ ମୋହନ କୁମାର ମଙ୍ଗଳମଙ୍କର ନୂଆଦିଲ୍ଲୀ ଠାରେ ଦେହାନ୍ତ ହୋଇଥିଲା । ସେହିଭଳି ୧୯୮୦ ମସିହା ଜୁନ ୨୩ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଂଜୟ ଗାନ୍ଧୀଙ୍କର ବି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଦିଲ୍ଲୀର ସଫଦରଗଞ୍ଜ ବିମାନ ବନ୍ଦରରୁ ବିମାନଟି ଉଡାଣ କରିବାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

  • ୧୯୯୪ ଜୁଲାଇ ୯ ତାରିଖରେ ଉଡ଼ାଣ ଆରମ୍ଭ କରିବାର କେଇ ମୁହୂର୍ତ୍ତ ପରେ ରାଜ୍ୟ ସରକାରଙ୍କ ଏକ ବିମାନ ହିମାଚଳ ପ୍ରଦେଶର ପର୍ବତମାଳାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପଞ୍ଜାବର ତତ୍‌କାଳୀନ ରାଜ୍ୟପାଳ ସୁରେନ୍ଦ୍ର ନାଥ ଏବଂ ତାଙ୍କ ପରିବାରର ୯ଜଣ ସଦସ୍ୟଙ୍କ ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଥିଲା।
  • ୨୦୦୧ ମେ ମାସରେ କମ୍‌ ଦୃଶ୍ୟତା ହେତୁ ତୱାଙ୍ଗ୍‌ ନିକଟରେ ପବନ ହଂସ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଅରୁଣାଚଳ ପ୍ରଦେଶର ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ଦେରା ନତୁଙ୍ଗ୍‌ଙ୍କ ଏବଂ ଆଉ ୫ଜଣଙ୍କର ମୃତ୍ୟୁ ଘଟିଥିଲା।
  • ୨୦୦୧ ସେପ୍ଟେମ୍ବର ୩୦ରେ ମଧ୍ୟପ୍ରଦେଶ ରାଜବଂଶଜ ଏବଂ ପୂର୍ବତନ କଂଗ୍ରେସ କ୍ୟାବିନେଟ୍‌ ମନ୍ତ୍ରୀ ମାଧବରାଓ ସିନ୍ଧିଆ କଂଗ୍ରେସ ରାଲିରେ ଉଦ୍‌ବୋଧନ ଦେବାକୁ ଉତ୍ତର ପ୍ରଦେଶର କାନପୁର ଯାତ୍ରା କରୁଥିବା ବେଳେ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିଲେ।
  • ୨୦୦୨ ମାର୍ଚ ୩ରେ ତତ୍‌କାଳୀନ ଲୋକସଭା ବାଚସ୍ପତି ତଥା ତେଲୁଗୁ ଦେଶମ୍‌ ନେତା ଜି. ଏମ୍. ସି. ବାଳଯୋଗୀ ଆନ୍ଧ୍ରପ୍ରଦେଶରେ ଗୋଟାଏ ହେଲିକପ୍ଟର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
  • ୨୦୦୪ ସେପ୍ଟେମ୍ବରରେ ମେଘାଳୟ ଗୋଷ୍ଠୀ ଉନ୍ନୟନ ମନ୍ତ୍ରୀ ସି. ସାଙ୍ଗମା, ତିନିଜଣ ବିଧାୟକ ଏବଂ ଆଉ ଛଅଜଣ ମଧ୍ୟ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
  • ୨୦୦୫ ମାର୍ଚ ୩୧ରେ ହରିୟାଣା ମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଓ.ପି. ଜିନ୍ଦଲ୍‌ ଏବଂ ସୁରେନ୍ଦ୍ର ସିଂହ ଯାତ୍ରା କରୁଥିବା ହେଲିକପ୍ଟର୍‌ଟି ଉତ୍ତର ପ୍ରଦେଶର ସାହରଣପୁରରେ ତଳକୁ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।
  • ୨୦୦୯ ସେପ୍ଟେମ୍ବର ୩ ତାରିଖରେ ଚିତୂର ଜିଲ୍ଲାର ଗୋଟାଏ ଗ୍ରାମକୁ ଉଡ଼ିଯାଉଥିବା ବେ ଳେ ଗୋଟାଏ ‘ବେଲ୍‌ ୪୩୦’ ହେଲିକପ୍ଟର୍‌ ଘନ ଅରଣ୍ୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଆନ୍ଧ୍ରପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କର ମୃତ୍ୟୁ ଘଟିଥିଲା।
  • ୨୦୧୧ ଏପ୍ରିଲ୍‌ ୩୦ରେ ତୱାଙ୍ଗ୍‌ରୁ ଇଟାନଗର ଯାତ୍ରା କରୁଥିବା ବେଳେ ଅରଣ୍ୟ ଅଞ୍ଚଳରେ ହେଲିକପ୍ଟର୍‌ ଦୁର୍ଘଟଣା‌ ଘଟିବାରୁ ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖଣ୍ଡୁ ଏବଂ ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଚୀନ୍‌ ସୀମାନ୍ତବର୍ତ୍ତୀ ସେଲା ପାସ୍‌ରୁ ଖଣ୍ଡୁଙ୍କ ଶବ ଉଦ୍ଧାର କରାଯାଇଥିଲା।
  • ୨୦୨୧ ମେ ୨୧ରେ ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ଲାଙ୍ଗିନା ଗ୍ରାମର ଗୋଟାଏ ଖୋଲା ପଡ଼ିଆରେ ମିଗ୍‌-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନବ ଚୌଧୁରୀଙ୍କର ମୃତ୍ୟୁ ଘଟିଥିଲା।