କନକ ବ୍ୟୁରୋ: ବିସ୍ଫୋରକ ବୟାନକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ନେତା ପୂର୍ବତନ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା । ପୁରୀ ସଦର ମାଲିସାହିରେ ବିଜେଡି ପଦଯାତ୍ରା ଓ କର୍ମୀ ସମାବେଶରେ ସଞ୍ଜୟଙ୍କ ବୟାନ ରାଜ୍ୟ ରାଜଧାନୀ ରାଜନୀତିକୁ କରିଛି ସରଗରମ । ସଞ୍ଜୟଙ୍କ ବୟାନରେ ରହିଛି ତାଙ୍କ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିର ବିକାଶ ପ୍ରସଙ୍ଗ, ଏହା ସହ ରହିଛି ରାଜନୀତିରେ ବିରୋଧାଭାଷାର ଏକ ବଡ ସଙ୍କେତ ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।
ସଞ୍ଜୟ ବିରୋଧରେ ଷଢଯନ୍ତ୍ର!
ପଦଯାତ୍ରା କର୍ମୀ ସମାବେଶରେ ବ୍ରହ୍ମଗିରି ନାଁ ନେଇ ପରୋକ୍ଷରେ ତାଙ୍କ ବିରୋଧରେ ରାଜନୈତିକ ଷଢଯନ୍ତ୍ର ଚାଲୁଥିବାର ବଡ ସଙ୍କେତ ଦେଇଛନ୍ତି । ନା ଦଳ ନାଁ ନେଇଛନ୍ତି , ନା ବିରୋଧୀଙ୍କ ନାଁ ଓ ଜନସଭାକୁ ସମ୍ବୋଧିତ କରି ସଞ୍ଜୟ କହିଛନ୍ତି ‘ ଆମେ ସଂଘର୍ଷ କରୁଛୁ ପୁରୀ ସଦର ପାଇଁ, ଆମେ ସଂଘର୍ଷ କରୁଛୁ କୃଷ୍ଣ ପ୍ରସାଦ ବ୍ଲକର ବିକାଶ ପାଇଁ, ଏତିକି ବେଳେ କିଛି ବ୍ୟକ୍ତିମାନେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ଷଡଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଞ୍ଚି ୧୧ ପଞ୍ଚାୟତରେ ପସିବାକୁ ଚେଷ୍ଟା କରୁଛି । ସଞ୍ଜୟ ଜନସମାବେଶରେ ବ୍ରହ୍ମଗିରି ସହ ପରୋକ୍ଷରେ ତାଙ୍କ ବିରୋଧରେ ଚାଲୁଥିବା ଷଢଯନ୍ତ୍ର ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀ ଓ ତାଙ୍କ ସମର୍ଥକଙ୍କ ଆହ୍ହାନ ଦେଇଥିବା ଚର୍ଚ୍ଚା ହେଉଛି ।
ବିଦେଶୀ ଶକ୍ତି କିଏ ?
ଜନସଭାରେ ସଞ୍ଜୟ କହିଛନ୍ତି, ‘ କିଛି ବିଦେଶୀ ଶକ୍ତି ଓଡିଶାର ଖଣିଜ ସମ୍ପଦ, ଓଡି଼ଶାର ପ୍ରାଚୁର୍ୟ୍ୟ, ଓଡିଶାର ରତ୍ନଭଣ୍ଡାରକୁ ଭାବୁଛନ୍ତି ଲୁଣ୍ଠନ କରି ପଲାଇବେ । କହିଛନ୍ତି ଦିନେ ବ୍ରଟିଶ ସରକାରକୁ ଏଇ ଜାତିର କିଛି ଲୋକ ନିଶାର୍ଦ୍ଦ ରାତିରେ ଓଡିଶାର ଶେଷ ସ୍ବାଧୀନ ଦୁର୍ଗ ଦଖଲ କରିବା ପାଇଁ ବାଟ ଦେଖାଇ ଦେଇଥିଲେ, ଆଜି ମଧ୍ୟ ଓଡିଶାରେ ସେହି ଭଳି ଶକ୍ତି ସକ୍ରିୟ ଅଛନ୍ତି । ଏହିଭଳି ଶକ୍ତିକୁ ପରାହତ କରିବା ସହ ବ୍ରହ୍ମଗିରିର ସ୍ବାଭିମାନକୁ ପୁନ୍ନପ୍ରତିଷ୍ଠା କରିବାକୁ କର୍ମୀ ସାମାବେଶରେ ଆହ୍ବାନ ଦେଇଛନ୍ତି ସଞ୍ଜୟଦାସ ବର୍ମା ।
ବିଜୁଙ୍କୁ ପକାଇଲେ, ନବୀନଙ୍କୁ ପ୍ରଶଂସାରେ ପୋତିଲେ
କର୍ମୀ ସମାବେଶରେ ସଞ୍ଜୟ କହିଛନ୍ତି ଓଡିଆ ଜାତିକୁ ସ୍ବାଭିମାନର ମନ୍ତ୍ରରେ ଅଭିମନ୍ତ୍ରୀତ କରିଥିଲେ ଓଡି଼ଶାର ପ୍ରବାଦ ପୁରୁଷ ବିଜୁବାବୁ । ଆଉ ତାଙ୍କରି ଆଦର୍ଶରେ ଆଗକୁ ଯାଇ ଏବେ ବ୍ରହ୍ମଗିରିର ସ୍ବାଭିମାନକୁ ପୁନଃ ପ୍ରତିଷ୍ଠା କରିବାକୁ ପଡିବ । ଏହାସହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତିଛନ୍ତି ସଞ୍ଜୟ । କହିଛନ୍ତି, ନବୀନ ବାବୁ ଯେତେବେଳେ ଦଳର ଦାୟିତ୍ବ ନେଲେ ସେତେବେଳେ ସେ ପ୍ରଥମ ଥର ବିଧାୟକ ଥିଲେ । ହେଲେ ତାଙ୍କୁ ଦଳର ଉପମୁଖ୍ୟ ସଚେତକ କରିଥିଲେ ନବୀନ । ଏହାପରେ ତାଙ୍କୁ ଦଳରେ ଓଡିଶାର ଯୁବ ସଭାପତି କରାଯାଇଥିଲା । ଖାଦ୍ୟ ଯୋଗାଣ, ବୈଷୟିକ ଶିକ୍ଷା ନିଯୁକ୍ତି ବିଭାଗ ମନ୍ତ୍ରୀର ଗୁରୁ ଦାୟିତ୍ବ ମଧ୍ୟ ଦିଆଯାଇଥିଲା । ଗତ ନିର୍ବାଚନ ହାରିଲା ପରେ ବି ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରିଥିଲେ ନବୀନ ।
ସଞ୍ଜୟ କହିଲେ ‘ମରିଯିବୁ ସିନା ସାଲିସ ରାଜନୀତିରେ ଭସାଇ ଦେବୁନି’
ସିଧାସଳଖ ଦଳ କିମ୍ବା କାହାର ନାଁ ନନେଇ ସଞ୍ଜୟ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି ଏବେ ପରିସ୍ଥିତି ବଦଳିଛି । ସେଥିପାଇଁ ନିଜ ସମର୍ଥକ ମାନଙ୍କୁ ସତର୍କ ରହିବାକୁ ସଞ୍ଜୟ କହିଛନ୍ତି । ସଞ୍ଜୟ କହିଛନ୍ତି ‘କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ତାକୁ ଗ୍ରହଣ କରିନେବେ କିନ୍ତୁ ସେ ବ୍ୟତିକ୍ରମ । ସଞ୍ଜୟ ଆନ୍ଦୋଳନତ୍ମକ ଢଙ୍ଗରେ କହିଛନ୍ତି ‘ମୁଁ କହିବାକୁ ଚାହେଁ ଓଡିଶାର ଅଣକଂଗ୍ରେସ ଯୁବ ଆନ୍ଦୋଳନରେ ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଯେଉଁ ସ୍ବାଭିମାନୀ ଓଡିଶାର ଗଠନରେ ଆମେ ଯେଉଁମାନେ ବ୍ରତୀ ହୋଇଥିଲୁ, ଆମେ ମରିଯିବୁ ସିନା ସାଲିସ ରାଜନୀତିରେ ବ୍ରହ୍ମଗିରିକୁ ଭସାଇ ଦିଆଯିବ ନାହିଁ । ଏହା ସହ ବ୍ରହ୍ମଗିରିର ବିକାଶ ପାଇଁ ସଙ୍କଳ୍ପ ନେବାକୁ ସଞ୍ଜୟ ଆହ୍ବାନ ଦେଇଛନ୍ତି ।
Follow Us