ଗୋଟିଏ ମଞ୍ଚରେ ଏକାଠି ହେଲେ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ । ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ନେଇ ଗୁପ୍ତ ବୈଠକ

352

କନକ ବ୍ୟୁରୋ: ତୁଟିଲା ବିବାଦ, ମିଶିଲା କି ମନ? ଗୋଟିଏ ମଞ୍ଚରେ ପୁରୀର ଦୁଇ ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ । ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀଙ୍କୁ ପୁରୀରେ ଗୁପ୍ତ ବୈଠକ କରିଛନ୍ତି ବିଜେଡିର ଏହି ଦୁଇ ନେତା । ତେବେ ମାସେ ତଳେ ଅଲଗା ଅଲଗା ବୈଠକ କରିଥିବା ସଞ୍ଜୟ ଓ ଉମାଙ୍କୁ ଏକାଠି ଦେଖି ଉଭୟଙ୍କ ମଧ୍ୟରେ ଥିବା କଳି ତୁଟିଯାଇଛି, ମନ ମିଶିଛି ବୋଲି ଚର୍ଚ୍ଚା ହେଉଛି ।

ମାତ୍ର ଗୋଟିଏ ମାସ ପୂର୍ବରୁ ପରସ୍ପର ଅଲଗା ଅଲଗା, କର୍ମୀ ଓ ସମର୍ଥକଙ୍କୁ ନେଇ ବୈଠକ କରୁଥିବା ଦୁଇ ନେତା, ଏବେ ଗୋଟିଏ ଛାତ ତଳେ ପାଖାପାଖି ବସି ଚର୍ଚ୍ଚା କରୁ୍ଛନ୍ତି । ପାଖାପାଖି ବସି ପୁରୀ ରାଜନୀତିର ଦୁଇ ତୁଙ୍ଗ ରାଜନେତା, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଏବଂ ବିଧାୟକ ଉମା ସାମନ୍ତରାୟ ଚର୍ଚ୍ଚା କରିଛନ୍ତି । ପୁରୀର ଏକ ହୋଟେଲରେ ହୋଇଥିବା ଏହି ଗୁପ୍ତ ବୈଠକରେ ଉଭୟ ବ୍ରହ୍ମଗିରି ଓ ସତ୍ୟବାଦୀର ପ୍ରାୟ ଶହେରୁ ଅଧିକ କର୍ମୀ ସାମିଲ୍ ହୋଇଥିଲେ । ସଂଜୟ ଓ ଉମାଙ୍କ ଭିତରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଏହି ବୈଠକ ବସିଥିବା ଚର୍ଚ୍ଚା ହେଉଛି ।

  • ମନ ମାନିଲା, ତୁଟିଲା କଳି?
  • ଏକାଠି ହେଲେ ସଂଜୟ-ଉମା

ପ୍ରାୟ ଗୋଟିଏ ମାସ ତଳେ ଫେବୃୟାରୀ ମାସ ଶେଷ ସପ୍ତାହରେ ଉଭୟ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ ଦଳୀୟ ସମର୍ଥକଙ୍କୁ ନେଇ ଅଲଗା ଅଲଗା ବୈଠକ କରିଥିଲେ । ବ୍ରହ୍ମଗିରିରୁ ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିବା ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉପକଣ୍ଠ ଧଉଳିରେ ଏକ ଗୁପ୍ତ ବୈଠକ କରିଥିଲେ । ସତ୍ୟବାଦୀର ଶହେରୁ ଅଧିକ ନେତା ଓ କର୍ମୀଙ୍କୁ ନେଇ ଏହି ବୈଠକ ଆୟୋଜନ ହୋଇଥିଲା । ଆଉ ଏହି ବୈଠକର ଠିକ୍ ପୂର୍ବରୁ କର୍ମୀ ସମ୍ମିଳନୀ କରି, ସତ୍ୟବାଦୀରୁ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ଉମା । ଏପରିକି କର୍ମୀ ସମ୍ମିଳନୀ ସମୟରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ନିର୍ବାଚନୀ କ୍ଷେତ୍ର ପରିବର୍ତନ ନେଇ ସେତେବେଳେ ଚର୍ଚ୍ଚା ହେଉଥିଲା ।

  • ବଦଳି ଯାଇଛି ସ୍ଥିତି
  • ଚୂଡ଼ାନ୍ତ ହୋଇଛି ରୂପରେଖ !

ସମୟ ଗଡ଼ିବା ସହ ସ୍ଥିତି ବଦଳିଯାଇଛି, ନବୀନ ନିବାସ ଆସି ପୁରୀ ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ୭ଟି ବିଧାନସଭା ଆସନ ନେଇ ପୁରୀ ଜିଲ୍ଳାର ତୁଙ୍ଗ ନେତାମାନେ ଚର୍ଚ୍ଚା କରିଛନ୍ତି । ତେବେ ପୁରୀ ରାଜନୀତିର ରୂପରେଖ ଚୁଡ଼ାନ୍ତ ହୋଇଥିବା ବେଳେ କେବଳ ଘୋଷଣାକୁ ଅପେକ୍ଷା ଥିବା କୁହାଯାଉଛି । ଏଭଳି ସ୍ଥିତିରେ ଉମା ସାମନ୍ତରାୟ ଏବଂ ସଞ୍ଜୟ ଦାସବର୍ମା ମଧ୍ୟ ଏକାଠି ନଜର ଆସିଛନ୍ତି ।