ଦେଶ ପାଇଁ ଗୌରବ ଆଣିଲେ ଆଉଜଣେ ଭାରତୀୟ ମହିଳା । ଅନ୍ତରୀକ୍ଷ ଯିବାକୁ ଥିବା ରକେଟରେ ଇଂଜିନିୟର ଭାବେ ସାମିଲ ହେଲେ ସଂଜଲ ଗାୱଡେ

132

କନକ ବ୍ୟୁରୋ : ମହାରାଷ୍ଟ୍ରର ଏକ ଛୋଟ ସହର କଲ୍ୟାଣରୁ ଯାଇ ସଂଜଲ ଗାୱଡେ ପ୍ରଥମେ ମର୍କରୀ ମରୀନ ରେସିଂ କାର ଡିଜାଇନ କରିଥିଲେ । ଏହାପରେ ଆମେରିକାରେ ଅନ୍ତରୀକ୍ଷ ଯିବାକୁ ଥିବା ରକେଟ ପ୍ରସ୍ତୁତ କରୁଥିବା ଟିମରେ ଭାଗ ନେଇ ଏବେ ତାଙ୍କ ସ୍ୱପ୍ନ ପୁରା କରିଛନ୍ତି । ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ କମ୍ପାନୀର ରକେଟ ଅନ୍ତରୀକ୍ଷ ଯାତ୍ରା କରିବ । ଯେଉଁଥିରେ ମହାରାଷ୍ଟ୍ରର କଲ୍ୟାଣ ସହରରେ ରହୁଥିବା ସଂଜଲ ଗାୱଡେ ସିଷ୍ଟମ ଇଂଜିନିୟର ଭାବେ ରକେଟ ଯାତ୍ରାରେ ଭାଗ ନେବେ ।

ସଂଜଲ ଜଣେ ଭାରତୀୟ ମହିଳା । ସେ ସାତ ସମୁଦ୍ର ପାର କରି ଆମେରିକାର ମିଶିଗନ, ଚିକାଗୋ, କାର୍ଲିଫର୍ଣ୍ଣିଆ ଓ ଏବେ ସିୟାଟେଲ ରେ ପହଂଚି ସାରିଛନ୍ତି । ଯାହାର ପ୍ରଶଂସା ଏବେ ସାରା ମହାରାଷ୍ଟ୍ର କରୁଛି ।

ସଂଜଲଙ୍କ ଜନ୍ମ ପୂର୍ବ କଲ୍ୟାଣର କୋଲସେବାଡୀ ହନୁମାନନଗରରେ ହୋଇଥିଲା । ସେ କୋଲସେବାଡୀ ମଣ୍ଡଳ ବିଦ୍ୟାଳୟରେ ତାଙ୍କର ସ୍କୁଲ ପାଠ ଶେଷ କରିଥିଲେ । ଏହାପରେ ହାଇସ୍କୁଲ ଓ ଯୁକ୍ତ ଦୁଇ ଶିକ୍ଷା ସେ ବିଡଲା କଲେଜରେ କରିଥିଲେ । ଏହାପରେ ସେ ମୁମ୍ବାଇ ବିଶ୍ୱ ବିଦ୍ୟାଳୟରୁ ମେକାନିକାଲ ଇଂଜିନିୟରିଂ ପାସ୍ କରିଥିଲେ ।

ଏହାପରେ ସେ ଜିଆରଆଇ ଓ ଟୋଫେଲ ଭଳି କଠିନ ପରୀକ୍ଷା ଦେଇ ଉର୍ତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ମିଶିଗନର ଟେକ୍ ୟୁୂନିଭରସିଟିରେ ଏମଏସ କରିବାକୁ ଆବେଦନ କରିଥିଲେ । ସେଠାରେ ବି ସେ ସଫଳତାର ସହ ପାସ୍ କରିଥିଲେ । ଏହାପରେ ତାଙ୍କୁ ମର୍କରୀ ମରୀନରେ ଚାକିରୀ ମିଳିଥିଲା । ହେଲେ ତାଙ୍କର ସ୍ୱପ୍ନ ଥିଲା ମହାକାଶରେ ଉଡିବା  । ଏବେ ତାଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ତାଙ୍କ ପିତା ମାତା ବି ବେସ୍ ଖୁସି ଅଛନ୍ତି ।