ସାନିଟାଇଜର ବିବାଦ ଓ ମଣ୍ଡି ସମସ୍ୟାକୁ ନେଇ ଅଚଳ ବିଧାନସଭା । ବିଜେଡିର ଦାବି, କ୍ଷମା ମାଗନ୍ତୁ ବିଜେପି ବିଧାୟକ ।

ସୁବାସ ପାଣିଗ୍ରାହୀଙ୍କ ସପକ୍ଷରେ ବାହାରିଲା ବିଜେପି

66

କନକ ବ୍ୟୁରୋ: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ ରାଜନୀତି ଜୋର ଧରିଛି । ବିଧାନସଭାରେ ଅଚଳାବସ୍ଥା ଜାରି ରହିବାରୁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଆଲୋଚନା ହୋଇପାରିନାହିଁ । ଏହି ପ୍ରସଙ୍ଗ ଏବେ ଦଳୀୟ ଫୋରମରେ ବି ପଂହଚିଛି ଆଉ ମୁହାଁମୁହିଁ ହୋଇଛନ୍ତି ବିଜେଡି- ବିଜେପି ।

ଲଗାତାର ୩ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଗୃହରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ପ୍ରସଙ୍ଗ କରିଛି ବିଜେଡି । ଗୋଟିଏ ମିନିଟ ବି ସ୍ୱାଭାବିକ ହୋଇପାରିନି ଗୃହ । ବିଜେପି ବିଧାୟକ କ୍ଷମା ନ ମାଗିବା ଯାଏଁ ଗୃହକୁ ଚଳାଇଦିଆଯିବନାହିଁ ବୋଲି ବିଜେଡି କହିଛି । ଧାନକିଣା ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ବି ଗୃହରେ ପ୍ଲା-କାର୍ଡ ପ୍ରଦର୍ଶନ କରିଛନ୍ତି ଆଉ ହଟ୍ଟଗୋଳ ଯୋଗୁଁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ବି ଆଲୋଚନା ହୋଇପାରିନାହିଁ ।

ସେପଟେ ବିଧାନସଭାରେ ବାହାରେ ଦଳୀୟ ଫୋରମରେ ବି ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜନୀତର ରୁପ ନେଇଛି । ବିଜେପି ଏହି ପ୍ରସଙ୍ଗରେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ଦଳ କହିଛି, ଆତ୍ମହତ୍ୟା ଉଦ୍ୟମ ଘଟଣା ଦ୍ୱାରା ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି । ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ । ଏତେ ସମୟ ବିତିଗଲା ବିଜେପି କାହିଁକି ଚୁପ ଓ ଏହି ପ୍ରସଙ୍ଗକୁ କାହିଁକି ଏଡାଉଛି । ଯାହାର ପାଲଟା ଜବାବ ଦେଇ ବିଜେପି କହିଛି, ସୁବାସ ଚାଷୀଙ୍କ ହିତରେ ଯାହା କରିଛନ୍ତି ଠିକ କରିଛନ୍ତି , ଦଳ ତାଙ୍କ ସହ ଠିଆ ହୋଇଛି ।