ସାନିଟାଇଜ୍ ହେବେ ସମସ୍ତ କର୍ମଚାରୀ । ଲୋକସେବା ଭବନ ଆଗରେ ସାନିଟାଇଜିଙ୍ଗ୍ ଟନେଲ, ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ କର୍ମଚାରୀ ସାନିଟାଇଜ୍ ସୁଡ଼ଙ୍ଗ ଭିତରେ ପଶି ନିଜକୁ ଭୂତାଣୁ ମୁକ୍ତ କରିବେ ।

307

କନକ ବ୍ୟୁରୋ: ଲୋକସେବା ଭବନ ଆଗରରେ ଲଗାଯାଇଛି ସାନିଟାଇଜିଙ୍ଗ ଟନେଲ ଅର୍ଥାତ୍ ବିଶୋଧନକାରୀ ସୁଡଙ୍ଗ । ଏଣିକି ପ୍ରତ୍ୟେକ କର୍ମଚାରୀ ଲୋକସେବା ଭବନ ଭିତରେ ପ୍ରବେଶ କରିବା ପୂର୍ବରୁ ଏହି ସୁଡଙ୍ଗ ଭିତରେ ପ୍ରବେଶ କରି ନିଜକୁ ଭୂତାଣୁ ମୁକ୍ତ କରିବେ ।

ପ୍ରଥମେ ବିଶୋଧନ, ପରେ କାମ । ଅଫିସ ଭିତରକୁ ପ୍ରବେଶ ପୂର୍ବରୁ କର୍ମାଚାରୀଙ୍କ ଉପରେ ସୋଡିୟମ୍ ହାଇପୋକ୍ଲୋରାଇଟ୍୍ ମିଶା ପାଣି ସିଂଚନ କରାଯାଉଛି । ଲୋକସେବା ଭବନରେ ସାନିଟାଇଜେସନ୍ ସୁଡଙ୍ଗ ଭିତରେ ୩ରୁ ୫ ସେକେଣ୍ଡ ଯାଏଁ ସାନିଟାଇଜ୍ ହେଉଛନ୍ତି କର୍ମଚାରୀ । କରୋନାର ଭୟଙ୍କର ସ୍ଥିତିକୁ ନଜରରେ ରଖି କର୍ମଚାରୀଙ୍କ ସୁରକ୍ଷା ପାଇଁ ଏହି ସାନିଟାଇଜିଙ୍ଗ୍ ସୁଡଙ୍ଗ ବ୍ୟବହାର କରାଯାଉଛି ।

ଦେଶର ଦିଲ୍ଲୀ, ନୋଇଡା, କର୍ଣ୍ଣାଟକ ଭଳି ସହରରେ ଏଭଳି ସୋଡିୟମ୍ ହାଇପୋକ୍ଲୋରାଇଟ୍ ସାନିଟାଇଜ ସୁଡ଼ଙ୍ଗ ବସିଛି । ଏହାକୁ ଡବ୍ଲୁଏଚଓ ବା ଆଇସିଏମ୍ଆର ଏକ ବିଶୋଧନକାରୀ ସାରଂଜାମ ଭାବେ ସ୍ୱୀକୃତି ଦେଇଥିଲେ ମଧ୍ୟ ମଣିଷ ଶରୀର ଉପରେ ଏହା କେତେ ପରିମାଣ ବ୍ୟବହାର କରାଯାଇ ପାରିବ ସେନେଇ କୌଣସି ସୂଚନା ଜାରି କରିନାହାନ୍ତି । ତେବେ ସାନିଟାଇଜେସନ୍ ସୁଡ଼ଙ୍ଗରେ ମାତ୍ର .୦୧ ପ୍ରତିଶତ ସୋଡିୟମ୍ ହାଇପୋକ୍ଲୋରାଇଟ୍ ବା ଲିକ୍ୟୁଡି କ୍ଲୋରିନ୍ର ବ୍ୟବହାର କରାଯାଏ । ଏବଂ ଏହା ଦ୍ୱାରା ଅତି ସହଜରେ ଅଧିକ ଲୋକଙ୍କ ପୋଷାକ ଓ ବ୍ୟାଗ୍ ବିଶୋଧନ ହୋଇପାରିବ ବୋଲି ଆଶା କରାଯାଉଛି । ଅଧିକ ଲୋକ ଏକାଠି ହେଉଥିବା ସ୍ଥାନରେ ଏହି ସାନିଟାଇଜେସନ୍ ସୁଡଙ୍ଗ ବ୍ୟବହାର କରିବା ଦ୍ୱାରା କିଛି ମାତ୍ରାରେ ସଂକ୍ରମଣ ରୋକିପାରେ । ଏହି ଲକ୍ଷ୍ୟରେ ଲୋକସେବା ଭବନରେ ସାନିଟାଇଜିଂ ସୁଡଙ୍ଗ ବସିଛି ।