କନକ ବ୍ୟୁରୋ : ଦେଶରେ ଥିବା ସମସ୍ତ ସ୍କୁଲ ଓ ଶିକ୍ଷଣୀୟ ସଂସ୍ଥାକୁ ମାଗଣା ସାନିଟାରୀ ପ୍ୟାଡ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତ ରାଜ୍ୟ ସରକାର ଛାତ୍ରୀମାନଙ୍କ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ପିଏସ ନରସିହ୍ମା ଓ ଜଷ୍ଟିସ ଜେବି ପାରଦୀଙ୍କ ଖଣ୍ଡପୀଠ ଜୟା ଠାକୁରଙ୍କ ଏହି ଜନହିତ ଆବେଦନ ଉପରେ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ।

Advertisment

କେନ୍ଦ୍ର ସରକାରଙ୍କ ତରଫରୁ ଆଡିସିନାଲ ଜେନରାଲ ଏଶ୍ୱର୍ୟା ଭାଟି କହିଛନ୍ତି କି, ସ୍ୱାସ୍ଥ୍ୟସେବା ରାଜ୍ୟସରକାରଙ୍କ ବିଷୟ, ମାତ୍ର ୨୦୧୧ ଠାରୁ ଏନେଇ କେନ୍ଦ୍ର ସରକାର ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଡିସିନାଲ ଜେନରାଲ ପ୍ରସ୍ତୁତ କରିଥିବା ସମ୍ପୂର୍ଣ୍ଣ ଯୋଜନାର ରୂପରେଖ କୋର୍ଟଙ୍କ ନିକଟରେ ପୈଠ କରିଛନ୍ତି ।

ମୁଖ୍ୟ ବିଚାରପତିଙ୍କ ପୀଠ ସରକାରଙ୍କୁ ଛାତ୍ରୀମାନଙ୍କର ମାସିକ ଧର୍ମ କ୍ରମରେ ହେଉଥିବା ଅସୁବିଧା ଓ ସ୍ୱଚ୍ଛତା ପାଇଁ ଥିବା ଯୋଜନା ଅଧିନରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ହିସାବ ବି କେନ୍ଦ୍ର ସରକାରଙ୍କ ଠାରୁ ମାଗିଛନ୍ତି । ଏହାସହ ରାଜ୍ୟ ସରକାରମାନଙ୍କୁ ଏନେଇ କ’ଣ ଯୋଜନା ରହିଛି ବୋଲି କୋର୍ଟ ପଚାରିଛନ୍ତି ।

ସାରା ଦେଶରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ପ୍ୟାଡ ଯୋଗାଇ ଦିଆଯାଉ ବୋଲି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୪ ସପ୍ତାହ ମଧ୍ୟରେ ସ୍କୁଲ ୟୁନିଫର୍ମ ପଲିସି ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏଭଳି ଗମ୍ଭୀର ମାମଲାରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସାମିଲ କରିବାକୁ କୋର୍ଟ କହିଛନ୍ତି ।

ସେପଟେ ସାମାଜିକ ସଂସ୍ଥା ‘ଦସରା’ ତରଫରୁ ୨୦୧୯ ମସିହାରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ରିପୋର୍ଟ କହୁଛି କି ମାସିକ ଧର୍ମ କାରଣରୁ ପ୍ରତିବର୍ଷ ୨.୩ କୋଟି ଛାତ୍ରୀ ସ୍କୁଲ ଛାଡୁଛନ୍ତି ବୋଲି ପ୍ରକାଶ ପାଇଥିଲା ।