ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଲେ ସାନିଆ ମିର୍ଜା : ବିଦାୟୀ ମ୍ୟାଚ ପରେ ଭାବପ୍ରବଣ ହୋଇ କାନ୍ଦିଲେ

221

କନକ ବ୍ୟୁରୋ : ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭, ୨-୬ ସେଟରେ ପରାସ୍ତ ହୋଇଛନ୍ତି । ପରାଜୟ ସହ ସାନିଆଙ୍କ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ ହୋଇଛି । ମ୍ୟାଚ୍ ହାରିବା ପରେ ସାନିଆ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ।

୧୮ ବର୍ଷ ତଳେ ସାନିଆ ମେଲବର୍ଣ୍ଣରୁ ହିଁ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ସେହି ସ୍ଥାନରେ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ କରିବା ସାନିଆଙ୍କ ପାଇଁ ସ୍ମରଣୀୟ ହୋଇରହିବ । ସନ୍ନ୍ୟାସ ନେଇ ସାନିଆ ପୂର୍ବରୁ ଘୋଷଣା କରିସାରିଥିଲେ । ବର୍ଷ ଆରମ୍ଭରୁ ଏକ ସାକ୍ଷାତକାରରେ ସାନିଆ କହିଥିଲେ ଯେ ଦୁବାଇରେ ଫେବୃଆରୀ ୧୯ ତାରିଖରେ ହେବାକୁ ଥିବା ଡବ୍ଲ୍ୟୁଟିଏ ୱାନ୍ ଥାଉଜାଣ୍ଡ ଇଭେଣ୍ଟ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଏହା ପରେ ସେ ଟେନିସକୁ ଅଲବିଦା କହିଦେବେ । ମ୍ୟାଚ୍ ପରେ ସାନିଆଙ୍କ ପାର୍ଟନର ବୋପନ୍ନା ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।

ସାନିଆଙ୍କ ‘ଗ୍ରାଣ୍ଡସ୍ଲାମ’ ବିଦାୟ

– ୨୦୦୩ରେ ପେସାଦାର ଟେନିସରେ ପଦାର୍ପଣ କରିଥିଲେ ସାନିଆ
– ୨୦୧୫ରେ ଦୁନିଆର ଏକ ନମ୍ବର ଡବଲ୍ସ ଟେନିସ୍ ଖେଳାଳି ହୋଇଥିଲେ
– ୯୧ ସପ୍ତାହ ଧରି ଡବଲ୍ସରେ ଦୁନିଆର ଏକ ନମ୍ବର ଖେଳାଳି ରହିଥିଲେ
– କ୍ୟାରିୟରରେ ୬ ଗ୍ରାଣ୍ଡସ୍ଲାମ ଜିତିଛନ୍ତି
– ୩ ମହିଳା ଡବଲ୍ସ ଓ ୩ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଛନ୍ତି ସାନିଆ
– ୨୦୦୩ରୁ ୨୦୧୩ ଯାଏଁ ସିଙ୍ଗଲ୍ସରେ ଭାରତର ଏକ ନମ୍ବର ଖେଳାଳି ଥିଲେ
– ଏକମାତ୍ର ଭାରତୀୟ ମହିଳା ଖେଳାଳି ଭାବେ ସିଙ୍ଗଲ୍ସ ରାଙ୍କିଙ୍ଗର ଶୀର୍ଷ ୧୦୦ରେ ସ୍ଥାନ ପାଇଥିଲେ
– ଓପନ୍ ଏରାରେ ମ୍ୟାଚ୍ ଜିତିବାରେ ତୃତୀୟ ଭାରତୀୟ
– କ୍ୟାରିୟରରେ ମୋଟ ୪୩ ଟାଇଟଲ୍ ଜିତିଛନ୍ତି
– ୨୦୦୫ରେ ଡବ୍ଲ୍ୟୁଟିଏ ପ୍ଲେୟର୍ ଅଫ୍ ଦି ଇୟର ବିବେଚିତ ହୋଇଥିଲେ
– ଜୁନିୟର ସ୍ତରରେ ୧୦ଟି ସିଙ୍ଗଲ୍ସ ଓ ୧୩ଟି ଡବଲ୍ସ ଟାଇଟଲ୍ ଜିତିଛନ୍ତି
– ୨୦୧୩ରେ ୱିମ୍ବଲଡନ୍ ଚାମ୍ପିୟନସିପ ବାଳିକା ଡବଲ୍ସ ଟାଇଟଲ ଜିତିଥିଲେ
– ୨୦୦୨ରେ ମାତ୍ର ୧୬ ବର୍ଷ ବୟସରେ ସିନିୟର ସ୍ତରରେ ଜାତୀୟ ଚାମ୍ପିୟନ୍ ହୋଇଥିଲେ
– ୨୦୧୬ ରିଓ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଥିଲେ