ପାକିସ୍ତାନ ପାଇଁ ମ୍ୟାଚ୍ ବିଜୟୀ ଇଂନିସ ଖେଳିଲେ ସୋଏବ୍ ମଲ୍ଲିକ୍ । ଷ୍ଟାଡିୟମରେ ରହି ଚିୟର କଲେ ସ୍ତ୍ରୀ ସାନିଆ ମିର୍ଜା ।

216

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି ପାକିସ୍ତାନ । ଭାରତ ବିପକ୍ଷରେ ଦମଦାର ବିଜୟ ପରେ ଦଳ ନ୍ୟୁଜିଲାଣ୍ଡକୁ ବି ଲିଗ୍ ମ୍ୟାଚରେ ପରାସ୍ତ କରିଛି । ତେବେ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଟିମ ପାଇଁ ହିରୋ ସାଜିଥିଲେ ପୁରୁଖା ଖେଳାଳି ସୋଏବ୍ ମଲ୍ଲିକ । ସେ ଶେଷ ଆଡକୁ ୨୬ ରନ୍ କରିବା ସହିତ ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ ।

ସୋଏବଙ୍କ ଏହି ଇଂନିସ ପାକିସ୍ତାନକୁ ବିଜୟ ଭେଟି ଦେଇଛି । ଆଉ ଗତକାଲିର ଏହି ମ୍ୟାଚ ସମୟରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜ ସ୍ୱାମୀଙ୍କ ପାଇଁ ପଡିଆରେ ଉପସ୍ଥିତ ରହି ମ୍ୟାଚକୁ ଉପଭୋଗ କରିଥିଲେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା । ଖାଲି ସେତିକି ନୁହେଁ, ସ୍ୱାମୀଙ୍କ ଏହି ଜବରଦସ୍ତ ଇଂନିସ ସମୟରେ ସାନିଆ ଷ୍ଟାଣ୍ଡରେ ଠିଆ ହୋଇ ଚିୟର କରୁଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ବିଶ୍ୱକପ୍ ଆରମ୍ଭରୁ ସାନିଆ ମିର୍ଜା ୟୁଏଇରେ ଅଛନ୍ତି । ଆଉ ମଙ୍ଗଳବାର ତାଙ୍କୁ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଭାରତ ବିପକ୍ଷ ମ୍ୟାଚରେ ସେ ପଡିଆଠୁ ଓ ଷ୍ଟାଡିୟମଠୁ ଦୂରରେ ରହିଥିଲେ । ତେବେ ଏନେଇ ସେ ପୂର୍ବରୁ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ । ଭାରତ-ପାକ୍ ମ୍ୟାଚରେ ସାନିଆଙ୍କୁ ନେଇ ଗତ କିଛି ବର୍ଷ ହେଲା ବିବାଦ ସୃଷ୍ଟି ହେଉଛି, ଯେଉଁ କାରଣରୁ ସେ ସୋସିଆଲ୍ ମିଡିଆଠୁ ଦୂରରେ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ବିପକ୍ଷ ମ୍ୟାଚ ସମୟରେ ସୋଏବ୍ ମଲ୍ଲିକଙ୍କୁ କିଛି ଭାରତୀୟ ଫ୍ୟାନ୍ସ ଷ୍ଟାଣ୍ଡରୁ ରହି ଜିଜାଜୀ…ଜିଜାଜୀ ଡାକୁଥିଲେ । ଯାହାର ଭିଡିଓକୁ ସେ ସେୟାର କରିବା ସହିତ ଏହା ମଜାଦାର ବୋଲି ସୂଚନା ଦେଇଥିଲେ ।