ପ୍ରବଚନ ଦେଉଥିଲେ, ହଠାତ୍ ହୃଦଘାତ ହେଲା, ମଞ୍ଚ ଉପରେ ଟଳିପଡିଲେ ସାଧୁ ସଙ୍ଗନାବସବା । କ୍ୟାମେରାରେ କଏଦ ହେଲା ମୃତ୍ୟୁର ମୁହୂର୍ତ୍ତ । 

510

କନକ ବ୍ୟୁରୋ : ମଣିଷ ଜୀବନ ପାଣି ଫୋଟକା । କେତେବେଳେ ଯେ ଜୀବନ ଦୀପ ଲିଭିଯିବ ତାହା କେହି ଜାଣିନଥାନ୍ତି । ମୃତ୍ୟୁ ସବୁବେଳେ ଅଚାନକ ହିଁ ଆସିଥାଏ । ଠିକ୍ ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ମଞ୍ଚରେ ବସି ପ୍ରବଚନ ଦେଉଥିବା ସାଧୁଙ୍କୁ ଯେ କିଛି ମୁହୂର୍ତ୍ତ ମଧ୍ୟରେ ମୃତ୍ୟୁ ନିଜ କୋଳକୁ ନେଇଯିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । ସେହିଭଳି ଏକ ଘଟଣା କର୍ଣ୍ଣାଟକର ବେଲଗାବୀ ଅଞ୍ଚଳରୁ ଆସିଛି । ଯେଉଁଠି ଜଣେ ସାଧୁ ଲୋକଙ୍କୁ ପ୍ରବଚନ ଦେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ଗତ ୬ ନଭେମ୍ବରରେ ଘଟିଛି, କିନ୍ତୁ ଏହାର ଭିଡ଼ିଓ ଏବେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଭିଡ଼ିଓରେ ସାଧୁ ସଙ୍ଗନାବସବା ସ୍ୱାମୀ ମଞ୍ଚ  ଉପରେ ବସି ପ୍ରବଚନ ଦେଉଥିବାର ଦେଖିବାକୁ ମିଳୁଛି । ନିଜ ଅନୁଗାମୀଙ୍କୁ କିଛି ମିନିଟ୍ ଯାଏଁ ବୁଝାଇବା ପରେ ଅଚାନକ ମଞ୍ଚ ଉପରେ ହିଁ ବେହୋସ ହୋଇ ପଡିଥିଲେ । ହଠାତ୍ ସାଧୁଙ୍କର ଏଭଳି ଅବସ୍ଥା ଦେଖି ଚକିତ ହୋଇଯାଇଥିଲେ ସମାବେତ ଲୋକେ ।  ଆଉ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲରେ ପହଞ୍ଚିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ମୃତ୍ୟୁର କାରଣ ହୃଦଘାତ ବୋଲି କହିଥିଲେ ।

୫୩ ବର୍ଷୀୟ ସଙ୍ଗନାବସବା ସ୍ୱାମୀ ବଲୋବଲା ମଠର ମୁଖ୍ୟ ମହନ୍ତ ଥିଲେ । ଆଉ ସବୁଠୁ ବଡ କଥା ହେଲା ସେହିଦିନ ତାଙ୍କର ଜନ୍ମଦିନ ଥିଲା । ଯେଉଁଥିପାଇଁ ନିଜ ଅନୁଗାମୀ ଓ ସାଧାରଣ ଲୋକଙ୍କୁ ଧାର୍ମିକ ବାଣୀ ଶୁଣାଉଥିଲେ । କିନ୍ତୁ ପ୍ରବଚନ ଦେଉ ଦେଉ ହଠାତ ସେ ଚୌକି ଉପରେ ଢଳି ପଡିଲେ । ଆଉ କେହି କିଛି ଭାବିବା ପୂର୍ବରୁ ସବୁଦିନ ଆରପାରିକୁ ଚାଲି ଯାଇଥିଲେ ସଙ୍ଗନାବସବା ।