ଚୋରା ବାଲିଘାଟ ଉପରେ ତହସିଲଦାରଙ୍କ ରାତିଅଧିଆ ରେଡ୍ । ଚଢାଉ ବେଳେ ଧରାପଡିଲା ଗୋଟିଏ ନମ୍ବରବିହୀନ ଜେସିବି ଓ ୪ଟି ଟ୍ରାକ୍ଟର

845

କନକ ବ୍ୟୁରୋ: ଚୋରା ବାଲିଘାଟ ଉପରେ ତହସିଲଦାରଙ୍କ ରାତିଅଧିଆ ଚଢାଉ । କଂଟାପଡା ବ୍ଲକ ଶିରୋସୁନ୍ଦରପୁର ଗ୍ରାମ ନିକଟ ଦେବୀନଦୀ ପଠାରୁ ବାରମ୍ବାର ବାଲି ଚୋରି ହୋଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ଶନିବାର ବିଳମ୍ବିତ ରାତିରେ କଂଟାପଡା ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲିକ ଏନଫୋର୍ସମେଂଟ ସ୍କ୍ୱାର୍ଡ ସହ ଅତର୍କିତ ଚଢାଉ କରିଥିଲେ ।

ସେଠାରୁ ଗୋଟିଏ ନମ୍ବରବିହିନ ଜେସିବି ଓ ୪ଟି ଟ୍ରାକ୍ଟର ଜବତ ହୋଇଛି । ଏଗୁଡିକୁ ଗୋବିନ୍ଦପୁର ଥାନାରେ ରଖାଯାଇଛି । ଜବତ ୪ଟି ଟ୍ରାକ୍ଟର ମଧ୍ୟରୁ ୩ଟିର ନମ୍ବର ନଥିବା ଜଣାପଡିଛି । ଖବର ପାଇ ଗୋବିନ୍ଦପୁର ଥାନା ପୋଲିସ ମଧ୍ୟ ସେଠାରେ ପହଂଚିଥିଲା । ତହସିଲଦାରଙ୍କ କହିବା ହେଲା, ପୂର୍ବରୁ ଏହି ପଠାରୁ ବାଲି ଓ ମାଟି ଚୋରାରେ ଚାଲାଣ ହେଉଥିଲା । ଏପରିକି କେତେଥର ଫାଇନ ମଧ୍ୟ ଆଦାୟ ହୋଇଛି । ବାଲି ଚୋରା ଚାଲାଣକାରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ତହସିଲଦାର ।