କନକ ବ୍ୟୁରୋ : ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଶୃଙ୍ଖଳିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ  ସଂସ୍କୃତି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜଙ୍କୁ  ପୁରୀରେ ରହିବାକୁ  ମୁଖମନ୍ତ୍ରୀ ମୋହନ ମାଝି ନିର୍ଦ୍ଦେଶ ଦେଇଛନ୍ତି । ନୀଳାଦ୍ରିବିଜେ  ସରିବା ଯାଏଁ  ପୁରୀରେ ସକ୍ରିୟ ଭାବେ  ଏମାନେ ରହି ରୀତିନୀତି ନିରୀକ୍ଷଣ କରିବେ ।  ବାକି ନୀତି ଯେଭଳି ସୁବ୍ୟସ୍ଥିତ ଓ ଶୃଙ୍ଖଳିତ ହେବ ତାହା ସୁନିଶ୍ଚିତ କରିବାକୁ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସେପଟେ ଆଜି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ । ସୋମବାର ବାହୁଡା ଯାତ୍ରା ରହୁଥିବାରୁ ଆଜି ସନ୍ଧ୍ୟା ପରଠାରୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ସେପଟେ ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ ସରିଥିବାବେଳେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାର ନିକଟରେ ରଖାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଘୋଷଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତ ପୁରୀ ଆସିଥିବା ବେଳେ ବାହୁଡା ଯାତ୍ରାରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଅଛି । ରଥଯାତ୍ରା ବେଳେ ଦଳଚକଟା ଘଟିଥିବାରୁ ବାହୁଡା ଯାତ୍ରାରେ ଯେପରି ସେଭଳି କିଛି ଅଘଟଣ ନୁହଏ ତାହା ଉପରେ ପ୍ରଶାସନ ଗୁରୁତ୍ବ ଦେଇଛି ।