ନିଲାମରେ ଥିଲେ ଅନସୋଲ୍ଡ । ବଦଳ ଖେଳାଳୀ ଭାବେ ସାମିଲ ହେଲେ, ମାହିଙ୍କୁ ମାତ୍ ଦେଇ ରାଜସ୍ଥାନକୁ ବିଜୟ ଭେଟି ଦେଲେ ।

783

କନକ ବ୍ୟୁରୋ : ଚେନ୍ନାଇକୁ ହୋମଗ୍ରାଉଣ୍ଡରେ ହରାଇ ଶୀର୍ଷରେ ରାଜସ୍ଥାନ ରୟାଲ୍ସ । ରୋମାଞ୍ଚକର ମୁକାବିଲାରେ ଚେନ୍ନାଇକୁ ମାତ୍ ଦେଇଛି ରାଜସ୍ଥାନ । ରାଜସ୍ଥାନର ଏହି ବିଜୟର ମୁଖ୍ୟ ନାୟକ ସାଜିଛନ୍ତି ସନ୍ଦୀପ ଶର୍ମା । ଯିଏ ଶେଷ ଓଭରରେ ଦଳକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି । କ୍ରିଜରେ କ୍ୟାପଟେନ କୁଲ ଧୋନୀ ଥିଲେ ମଧ୍ୟ ଚେନ୍ନାଇ ହାତରୁ ବିଜୟ ଛଡାଇ ଆଣିଥିଲେ ସନ୍ଦୀପ ଶର୍ମା । ଶେଷ ଓଭରର ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚର ଫଳାଫଳକୁ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ଶେଷର ବାଜି ମାରିନେଲା ସଞ୍ଜୁଙ୍କ ଟିମ୍ ।

ଚେପକରେ ଖେଳାଯାଇଥିବା ଚେନ୍ନାଇ-ରାଜସ୍ଥାନ ମ୍ୟାଚ୍ ବେଶ ରୋମାଞ୍ଚକର ଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୫ ରନ କରିଥିଲା ରାଜସ୍ଥାନ । ସେହିଭଳି ପ୍ରାରମ୍ଭିକ ଝଟକା ସତ୍ତେ୍ୱ ମଧ୍ୟ ଜବରଦସ୍ତ ବାଉନ୍ସ ବ୍ୟାକ୍ କରିଥିଲା ଚେନ୍ନାଇ । ଶେଷ ଓଭରରେ ଦଳକୁ ବିଜୟ ପାଇଁ ୨୧ ରନ୍ ଆବଶ୍ୟକ ଥିବା ବେଳେ କ୍ରିଜରେ ଥିଲେ ଅଧିନାୟକ ଧୋନୀ ଓ ଜାଡେଜା । ତେଣୁ ଚେନ୍ନାଇ ଫ୍ୟାନ୍ସ ବିଜୟକୁ ନେଇ ନିଶ୍ଚିତ ଥିଲେ । ଏପରିକି ପ୍ରଥମ ୩ ବଲରେ ୨ ଛକା ମାରି ଧୋନୀ ଚେନ୍ନାଇ ଫ୍ୟାନ୍ସଙ୍କ ମନରେ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ । ଶେଷ ୩ ବଲରେ ୭ ରନର ଆବଶ୍ୟକତା ଥିବା ବେଳେ ରାଜସ୍ଥାନ ପାଇଁ ସଙ୍କଟମୋଚକ ସାଜିଥିଲେ ସନ୍ଦୀପ । ପରବର୍ତ୍ତୀ ଦୁଇଟି ବଲରେ ୨ ରନ୍ ଦେବା ପରେ ଶେଷ ବଲରେ ୫ ରନର ଆବଶ୍ୟକତା ଥିଲା । ଷ୍ଟ୍ରାଇକରେ ଧୋନୀ ଛିଡା ହୋଇଥିଲେ । ତେଣୁ ବିଜୟ ପାଇଁ ଛକା ଦରକାର ହେଉଥିଲା । କିନ୍ତୁ ସନ୍ଦୀପ ପୁଣିଥରେ ନିଜକୁ ଡେଥ୍ ଓଭର ସ୍ପେଶାଲିଷ୍ଟ ଭାବେ ପ୍ରମାଣିତ କରିବାରେ ସଫଳ ହେଲେ । ଧୋନୀଙ୍କୁ ୟର୍କର ପକାଇ ଛକା ମାରିବାକୁ ସୁଯୋଗ ଦେଇନଥିଲେ ସନ୍ଦୀପ । ଏହାସହ ରାଜସ୍ଥାନ ମ୍ୟାଚକୁ ୩ ରନରେ ବାଜି ମାରିନେଇଥିଲା । ଦୀର୍ଘ ୧୫ ବର୍ଷ ପରେ ଚିପୁକ ଷ୍ଟାଡିୟମରେ ରାଜସ୍ଥାନ ପୁଣିଥରେ ବିଜୟୀ ହୋଇଥିଲା । ତେବେ ରାଜସ୍ଥାନକୁ ଏହି ବିଜୟ ଭେଟି ଦେଇଥିବା ସନ୍ଦୀପ କିନ୍ତୁ ଆଇପିଏଲ ନିଲାମୀରେ ଅନସୋଲ୍ଡ ରହିଥିଲେ ।

ଆଇପିଏଲ ମିନି ନିଲାମୀରେ ଅନସୋଲ୍ଡ ରହିବା ପରେ ସନ୍ଦୀପଙ୍କର ପୁଣିଥରେ ଆଇପିଏଲ ଖେଳିବା ଆଶା ଧୂଳିସାତ ହୋଇଥିଲା । କିନ୍ତୁ ରାଜସ୍ଥାନର ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆହତ ହେବା କାରଣରୁ ସନ୍ଦୀପଙ୍କୁ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବାକୁ ଡାକରା ଆସିଥିଲା । ଏହାପୂର୍ବରୁ ସନ୍ଦୀପ ପଞ୍ଜାବ ଓ ସନରାଇର୍ଜସ ହାଇଦ୍ରାବାଦ ପାଇଁ ଖେଳି ପ୍ରଭାବୀ ପ୍ରଦର୍ଶନ କରିଥିଲେ । କିନ୍ତୁ ମିନି ଆଇପିଏଲ ନିଲାମୀରେ ସନ୍ଦୀପଙ୍କୁ କେହି ନ କିଣିବା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ପରବର୍ତ୍ତୀ ସମୟରେ ରାଜସ୍ଥାନ ସନ୍ଦୀପଙ୍କୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଦଳ ଖେଳାଳୀ ଭାବେ ଦଳରେ ସାମିଲ କରିଥିଲା । ଏହି ନିଷ୍ପତ୍ତି ଏବେ ରାଜସ୍ଥାନ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ।

ମ୍ୟାଚ୍ ପରେ ସଞ୍ଜୁ ସାମସନ କହିଛନ୍ତି ଚେପକରେ ଷ୍ଟାଡିୟମରେ ଜିତିବା ଆମ ଦଳର ଲକ୍ଷ୍ୟ ଥିଲା । କାରଣ ଶେଷ ଥର ପାଇଁ ଏହି ଷ୍ଟାଡିୟମରେ ଗତ ୨୦୦୮ରେ ବିଜୟୀ ହୋଇଥିଲା ରାଜସ୍ଥାନ । ଏହାପରେ ଦଳ ଏଠାରେ ଲଗାତାର ପରାଜିତ ହୋଇ ଆସୁଥିଲା । ତେଣୁ ଏହି ପରାଜୟର ଧାରାକୁ ଆମେ ଭାଙ୍ଗିବାକୁ ଚେଷ୍ଟା କରିଥିଲୁ । ଯାହାକୁ ପୂରା କରିଛନ୍ତି ସନ୍ଦୀପ ଶର୍ମା ।