ବଢୁଛି ବାଲି ମାଫିଆଙ୍କ ଆତଙ୍କରାଜ । ମନଇଚ୍ଛା ଚୋରା ଚାଲାଣକୁ ବିରୋଧ କଲେ ମିଳୁଛି ହତ୍ୟା ଧମକ

182

କନକ ବ୍ୟୁରୋ: ବଢୁଛି ବାଲି ମାଫିଆଙ୍କ ଦାଦାଗିରି । ନଦୀ ପଠାରୁ ଟନ ଟନ ବାଲି ମନଇଚ୍ଛା ଉଠାଇ ନେଉଛନ୍ତି ବାଲି ମାଫିଆ । ଆଉ ବାଲି ମାଫିଆଙ୍କୁ ବିରୋଧ କଲେ ମିଳୁଛି ହତ୍ୟା ଧମକ । ସେମାନଙ୍କ କାରବାରରେ କେହି ମୁଣ୍ଡ ପୂରାଇଲେ ଗାଡି ଚଢାଇ ମାରିଦେବାକୁ ଖୁଲମଖୁଲା ଧମକାଉଛନ୍ତି ମାଫିଆ । ତେବେ ବାଲି ମାଫିଆ ଏଭଳି ଧମକ ଦେଉଥିବା ନେଇ କେନ୍ଦୁଝରରୁ ଆସିଛି ଅଭିଯୋଗ ।

ଦିନ ଦିପହରେ ଟନ୍ ଟନ୍ ବାଲି ବେଆଇନ୍ ଚାଲାଣ କରୁଛନ୍ତି ମାଫିଆ । ଟ୍ରକ୍, ଟ୍ରାକ୍ଟର ଓ ଟ୍ରଲରରେ ଭର୍ତ୍ତି କରି ବେଧଡକ ବୋହି ନେଉଛନ୍ତି ବାଲି ମାଫିଆ । ସ୍ଥିତି ଏଭଳି ହେଲାଣି ଯେ, ନଦୀ ପଠା ଖାଲି ହୋଇଗଲାଣି । ତେବେ କେନ୍ଦୁଝର ଜିଲ୍ଲା ଘଷିପୁରାରେ ଥିବା ରେମାଳ ନଦୀର ଖଇଳ ଘାଟରେ ଅନୁମତି ନଥାଇ ବି ବର୍ଷ ବର୍ଷ ହେଲା ବେଆଇନ ଭାବେ ବାଲି ଉଠାଯାଉଛି । ଆଉ ଏହାର ବିରୋଧ କଲେ ମିଳୁଛି ମୃତ୍ୟୁ ଧମକ ।

ତେବେ ଜଣେ ବାଲି ମାଫିଆ ହତ୍ୟା ଧମକ ଦେଉଥିବାର ଅଡିଓ ଭାଇରାଲ ହେଉଛି । ଭାଇରାଲ୍ ହେଉଥିବା ଅଡିଓରେ ବାଲି ମାଫିଆଙ୍କ ଦାଦାଗିରି ସ୍ପଷ୍ଟ ଭାବେ ଜଣାପଡୁଛି । ମାଫିଆ ଧମକ ଦେଉଛନ୍ତି କି, ବାଲି ଗାଡି ଅଟକାଇବାକୁ ଯେଉଁ ସରକାରୀ କର୍ମଚାରୀ ଆସିବେ ସେମାନଙ୍କ ଉପରେ ଗାଡି ଚଢାଇଦିଆଯିବ ।

ତେବେ ସବୁଠାରୁ ବଡ କଥା ହେଉଛି ଏ ବେଆଇନ ବାଲି ଚୋରାଚାଲାଣରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ନଦୀ ପଠାରୁ ମନଇଚ୍ଛା ବାଲି ଉଠାଯାଉଛି । ଆଉ ଅନ୍ୟପଟେ ବାଲି ବୋଝେଇ ଭାରି ଯାନ ଚଳାଚଳ ଯୋଗୁ ରାସ୍ତା ନଷ୍ଟ ହୋଇଗଲାଣି । ତେବେ ଚୋରା ଚାଲାଣକୁ ବିରୋଧ କଲେ ହତ୍ୟା ଧମକ ଦେଉଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଲୋକେ ଦାବି କରିଛନ୍ତି ।