ମାଫିଆ ରାଜର ଦୌରାତ୍ମ୍ୟ : ବାଲି ଚୋରାଚାଲାଣ ରୋକିବାକୁ ଯାଇ ଆକ୍ରମଣର ଶିକାର ଆରଆଇ

116

କନକ ବ୍ୟୁରୋ : ଚୋରା ବାଲି ଚାଲାଣକୁ ବିରୋଧ କରିବାରୁ ଆରଆଇଙ୍କୁ ସଂଘବଦ୍ଧ ଆକ୍ରମଣ । କଟକ ଜିଲ୍ଲା ମାହାଙ୍ଗା ଅଂଚଳରେ ଦେଖିବାକୁ ମିଳିଛି ବାଲି ମାଫିଆଙ୍କ ଦାଦାଗିରି । ଉଦବେଗଜନକ କଥା ହେଉଛି, ପୁଲିସ ଉପସ୍ଥିତିରେ ବାଲି ମାଫିଆମାନେ ଆରଆଇ ଓ ଅନ୍ୟ କର୍ମଚାରୀଙ୍କୁ ମାରପିଟ କରିଛନ୍ତି । ଆକ୍ରମଣରେ ମାହାଙ୍ଗା ଆରଆଇ ଗଣେଶ୍ୱର ହେମ୍ବ୍ରମଙ୍କ ମୁଣ୍ଡରେ ଆଘାତ ଲାଗିଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବିରୂପା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ଖବର ପାଇ ଚଢାଉ କରିଥିଲେ ମାହାଙ୍ଗା ତହସିଲର ଏକ ଟିମ୍ । ବାଲି ବୋଝେଇ ଏକ ଟ୍ରାକ୍ଟରକୁ ବିରୂପା ନଦୀ ନିକଟରେ ତହସିଲ ଟିମ ଜବତ କରିବା ପରେ ଫେରାର ହୋଇଯାଇଥିଲା ଡ୍ରାଇଭର । ପରେ ଜବତ ଗାଡିକୁ ଅନ୍ୟ ଏକ ଡ୍ରାଇଭର ଡାକି ଆଣାଯାଉଥିଲା । ସେହି ସମୟରେ ଗାଡି ମାଲିକ ଓ ତାଙ୍କ ସହଯୋଗୀ ତହସିଲ ଟିମ ଉପରେ ଆକ୍ରମଣ କରିଥିଲେ । ମାହାଙ୍ଗା ଆରଆଇଙ୍କୁ ମାଡ ମାରି ମୁଣ୍ଡ ଫଟେଇ ଦେଇଥିଲେ । ମାହାଙ୍ଗା ପୁଲିସ ଏହାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।