ଜଗତସିଂହପୁର ନଦୀରେ ଚାଲିଛି ମାଫିଆ ରାଜ୍ । ନିଜର ବ୍ୟବସାୟ ପାଇଁ ମାଫିଆ କରିଛନ୍ତି ଶହଶହ ବେଆଇନ ଆଡିବନ୍ଧ, ପୋତି ହେଉଛି ଜଟାଧାରୀ ମୁହାଣ, କମି ଯାଉଛି ନଦୀର ସ୍ରୋତ ।

206

କନକ ବ୍ୟୁରୋ: ଜଗତସିଂହପୁରରେ ନଦୀ ମାଫିଆଙ୍କ ରାଜ୍ । ନଦୀରେ ମାଫିଆମାନେ ଶହ ଶହ ବେଆଇନ ଆଡି ବନ୍ଧ କରି ଜଟାଧାରୀ ମୁହାଣ ପୋତିବା ସହ ନଦୀର ଶ୍ରୋତକୁ ଅଟକାଇ ଦେଇଛନ୍ତି । ମୁହାଣ ପୋତି ହୋଇଯିବାରୁ ଚାଷ ଜମିକୁ ଲୁଣା ପାଣି ମାଡୁଥିବା ବେଳେ ଉଦ୍ବୃତ୍ତ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ଚାଷ ନଷ୍ଟ ହେବା ସହ ଏକ ପ୍ରକାର ବଡ଼ ବିପଦକୁ ମୁହାଁଉଛି ଜଗତସିଂହପୁର ଜିଲ୍ଲା । ତେବେ କିଛି ଅସାଧୁ ଅଧିକାରୀଙ୍କୁ ହାତ କରି ମାଫିଆମାନେ ନଦୀରେ ବେଆଇନ କାରବାର ଚଳାଇଥିବା ଅଭିଯୋଗ ହୋଇଛି ।

ଏରସମାରେ ନଦୀ ମାଫିଆଙ୍କ ରାଜ୍
ତିଆରି ହୋଇଛି ବେଆଇନ୍ ଆଡିବନ୍ଧ
ପୋତି ହେଉଛି ଜଟାଧାରୀ ମୁହାଣ

ଏହି ନଦୀ ଦେଇ ଜଗତସିଂହପୁର ଜିଲ୍ଲା ୮ଟି ବ୍ଲକର ଚାଷ ଜମିରୁ ଉଦବୃତ ବର୍ଷା ଜଳ ସମୁଦ୍ରକୁ ନିଷ୍କାସିତ ହୋଇଥାଏ । ହେଲେ ଏରସମା ବ୍ଲକର ଗୋଡା ଠାରୁ ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକି, ଜପା ପଂଚାୟତ ଦେଇ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ନଦୀ ଗର୍ଭରେ ବେଆଇନ ଆଡି ବନ୍ଧ କରାଯାଇଛି । ଫଳରେ ନଦୀରେ ପୋତି ହୋଇଯିବା ସହ ଜଳ ପ୍ରବାହ କମିଛି । ଅଭିଯୋଗ ଅନୁସାରେ, ୧୯୯୯ ମହାବାତ୍ୟା ପରେ କିଛି ମୁଷ୍ଟିମେୟ ବ୍ୟକ୍ତି ସ୍ଥାନୀୟ ଲୋକଙ୍କୁ ଭୟଭିତ କରି ଆଡିବନ୍ଧ ନିର୍ମାଣ କରିଛନ୍ତି ।

ହଂସୁଆ ନଦୀ ଦେଇ ଜଗତସିଂହପୁର ଜିଲ୍ଲାର ବରିଡ଼ି, ରଘୁନାଥପୁର, ତିର୍ତ୍ତୋଲ, ନାଉଗାଁ, ବାଲିକୁଦା ଓ ଏରସମାର ଚାଷ ଜମିରୁ ଉଦ୍ବୃତ୍ତ ଜଳ ସମୁଦ୍ରକୁ ନିସ୍କାସିତ ହୁଏ । ବର୍ଷା ଜଳ ନିଷ୍କାସନ କରିବା ଉଦେଶ୍ୟରେ ୧୯୭୧ ମସିହାରେ ୩୦ରୁ ଅଧିକ ଗ୍ରାମବାସୀ ନିଜ ଶ୍ରମଦାନରେ ଜଟାଧାରୀ ମୁହାଣ ଖୋଳିଥିଲେ । ହେଲେ ବେଆଇନ ଆଡି ବନ୍ଧ ହେବା ପରେ ନଦୀର ସ୍ରୋତ କମି ଯାଇଛି । ତେଣୁ ଚାଷ ଜମିରୁ ଉଦବୃତ ବର୍ଷା ଜଳ ନିଷ୍କାସିତ ହୋଇପାରୁନାହିଁ । ଫଳରେ ଚାଷ ନଷ୍ଟ ହେବା ସହ ନଦୀ ଉପରେ ନିର୍ଭର କରି ପେଟ ପୋଷୁଥିବା ୫ ହଜାରରୁ ଅଧିକ ପରିବାର ଏବେ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ଖୁବ୍ଶୀଘ୍ର ବେଆଇନ ଆଡି ବନ୍ଧ ହଟାଇବା ଦିଗରେ ପଦକ୍ଷେପ ନେବେ ।

କାହା ସ୍ୱାର୍ଥରେ ଶହ ଶହ ବେଆଇନ ଆଡିବନ୍ଧ
ଆଡି ବନ୍ଧ ବାବଦରେ ଜାଣିପାରୁନାହିଁ କି ସ୍ଥାନୀୟ ପ୍ରଶାସନ?
ନା ସବୁ ଜାଣି ଚୂପ ବସିଛନ୍ତି ରାଜସ୍ୱ ଅଧିକାରୀ?