ମାତିଛନ୍ତି ବାଲି ମାଫିଆ । ବେଆଇନ୍ ଭାବେ ନଦୀ ପଠାରୁ ହେଉଛି ବାଲି ଚାଲାଣ, ରାସ୍ତାକଡରେ ଗଦା କରିଛନ୍ତି ଟନ ଟନ ବାଲି ।

158
କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବିଭିନ୍ନ ଅଂଚଳରେ ମାତିଛନ୍ତି ବାଲି ମାଫିଆ । ବେଆଇନ୍ ଭାବେ ନଦୀ ପଠାରୁ ଆଣି ରାସ୍ତା କଡରେ ଗଦା କରିଛନ୍ତି  ଟନ ଟନ ବାଲି । ଆଉ ଏନେଇ ସବୁ ଜାଣି ନିରବ ରହିଛି ରାଜସ୍ୱ ବିଭାଗ । ଫଳରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ସହୁଛି ରାଜ୍ୟ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବକ୍ସମା ପଂଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା । ବକ୍ସମା ଅଂଚଳରେ ରାଜସ୍ୱ ବିଭାଗର କୈାଣସି ବାଲିଘାଟ ନାହିଁ । କି କେବେ ବାଲିଘାଟ ନିଲାମ ନେଇ ସରକାରୀ ଟେଣ୍ଡର କରାଯାଇନାହିଁ । କିନ୍ତୁ ସ୍ଥାନୀୟ ଲୋକଙ୍କୁ ଭୟଭିତ କରି କିଛି ମୁଷ୍ଠିମେୟ ଲୋକ ଭେଡେନ ନଦୀରେ ଘାଟ ନିର୍ମାଣ କରି ମନ ଇଛା ବାଲି ଉଠାଉଛନ୍ତି । ବେଆଇନ ବାଲି ଉଠାଣକୁ ବିରୋଧ କଲେ ଠିକାଦାର ସ୍ଥାନୀୟ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଦିନ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଠିକାଦାର ନଦୀ ପଠାରୁ ବାଲି ଉଠାଇ ଆଣି ରାସ୍ତାକଡରେ ଗଦା କରୁଛନ୍ତି । କୁଚିଣ୍ଡା ବ୍ଲକର ଠାକୁର ନିକ୍ତିମାଲ, କଟୁନଗର ସମେତ ଅନେକ ଯାଗାରେ ଏବେ ଗଦା ହୋଇଛି ଟନ ଟନ ବାଲି । ଏନେଇ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣା ନେଇ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କୁଚିଣ୍ଡା ତହସିଲଦାର ।
ବର୍ତମାନ ବର୍ଷା ସମୟରେ ହୋଇଥିବାରୁ ଆଗରୁ ନଦୀ ପଠାରୁ ଉଠାଇ ଆଣିଥିବା ବାଲିକୁ ଚଢା ଦରରେ ବିକ୍ରି କରି ପକେଟ ଗରମ କରୁଛନ୍ତି ଦଲାଲ । ଆଉ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର ।