ଦିଗପହଣ୍ଡିରେ ଦିବାଲୋକରେ ମାତିଛନ୍ତି ବାଲି ମାଫିଆ । ବାଲିଘାଟରୁ ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରାକ୍ଟର ବାଲି, ସବୁ ଜାଣିଶୁଣି ଚୁପ୍ ବସିଛି ପ୍ରଶାସନ ।

166

କନକ ବ୍ୟୁରୋ : ଦିନଦିପହରେ ଟ୍ରାକ୍ଟରରେ ବୁହା ହୋଇ ବେଧଡକ ଚାଲିଛି ବାଲି ଲୁଟ୍ । ଡମ୍ପରରେ ବାଲି ଖୋଳା ହେଉଛି ଏବଂ ପରେ ସମସ୍ତଙ୍କ ସାମ୍ନାରେ ଟ୍ରାକ୍ଟରରେ ବୁହାହୋଇ ଯାଉଛି । ଖୁଲମଖୁଲା ଚାଲିଛି ବାଲି ଚୋରା ଚାଲାଣ । ପ୍ରଶାସନକୁ ଭୟ ନାହିଁ ବାଲି ମାଫିଆଙ୍କର । ଜଗତସିଂହପୁର, ବାଲେଶ୍ୱର ଓ ଯାଜପୁର ପରେ ଗଂଜାମ ଜିଲ୍ଲାର ଦିଗପହଣ୍ଡିରୁ ମଧ୍ୟ ଆସିଛି ସମାନ ଚିତ୍ର । ବାଲି ମାଫିଆ ମାନେ ବେଆଇନ ଭାବେ ଲୁଟ୍ କରି ଚାଲିଛନ୍ତି ବାଲି ଓ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର ।
ଟ୍ରାକ୍ଟର ଟ୍ରାକ୍ଟର ବାଲି ଉଠାଯାଉଛି ଆଉ ସହରର ମୁଖ୍ୟ ରାସ୍ତା ଦେଇ ଖୁଲମଖୁଲା ଚାଲାଣ ହେଉଛି । ଦିନ ଦିପହରେ ନଦୀପଠାରୁ ବେଧଡକ ଚାଲିଛି ବାଲି ଲୁଟ୍ । ନା’ ପ୍ରଶାସନକୁ ଭୟ ଅଛି ନା’ ନିୟମକାନୁନକୁ ଖାତିର । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକର ଘୋଡାହାଡ ନଦୀ ପାଲିଟିଛି ବାଲି ମାଫିଆଙ୍କ ଚରାଭୂଇଁ । ନଦୀପଠାରୁ ଦିନକୁ ଶହ ଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

ଦିଗପହଣ୍ଡିର ଖମ୍ବାରୀ ଗାଁରୁ ବାହାରି ସାନଖେମୁଣ୍ଡି ଦେଇ କାଟୁ ବ୍ଳକର ଚେରମାରିଆ ନିକଟରେ ରୁଷିକୂଲ୍ୟାରେ ମିଶିଛି ଘୋଡାହାଡ ନଦୀ । ସାନଖେମୁଣ୍ଡିର ଶୁଣ୍ଢପଲ୍ଲୀ, ଆମ୍ବଗାଁ, ପଳାସପୁର ଏବଂ ଧର୍ମରାୟପୁରରେ ବାଲି ଉଠାଣ ନେଇ ଟେଣ୍ଡର ହୋଇଛି । ଏଠାରେ ବର୍ଷକୁ ୮ରୁ ୨୦ ଲକ୍ଷ ଟଙ୍କା ଯାଏଁ ରାଜସ୍ୱ ପାଉଛନ୍ତି ସରକାର । ତେବେ ଗୁମ୍ମା, ମଳାଭଂଜା, ନଇବନ୍ଧ, ପଥରପୁଂଜି ଏବଂ ଭାଲିଆଝୋଳ ଭଳି ସ୍ଥାନରେ ଟେଣ୍ଡର ହୋଇନଥିବା ବେଳେ ଶହ ଶହ ଟ୍ରକ୍ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି । ତେବେ ତହସିଲଦାର କହିଛନ୍ତି, ନିୟମ ଅନୁଯାୟୀ ବାଲି ଉଠାଣ ହେଉଛି । ବେଆଇନ ବାଲି ଚୋରା ଚାଲାଣ ନଜରକୁ ଆସିଲେ ପ୍ରଶାସନ ଜରିମାନା ମଧ୍ୟ ଆଦୟ କରୁଛି ।

ଗଂଜାମ ଜିଲ୍ଲାର ଋଷିକୂଲ୍ୟା ନଦୀରେ ଦୀର୍ଘମିଆଦି ଲିଜ୍ ସୂତ୍ରରେ ଦିଆଯାଇଛି । ତେବେ ବଡ ନଦୀ, ଲୋହରାଖଣ୍ଡି ଏବଂ ବାହୁଦାରୁ ପ୍ରତିଦିନ ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ତେବେ ଏଡିଏମଙ୍କ କହିବା କଥା, ଗତବର୍ଷ ତୁଳନାରେ ଚଳିତ ବର୍ଷ ଜିଲ୍ଲାରେ ୪ କୋଟିରୁ ଅଧିକ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ସବୁଠୁ ବଡ କଥା ହେଉଛି ରାଜସ୍ୱ ଆଦାୟ ଯେତିକି ବଢୁଛି ଚୋରାଚାଲାଣ ମଧ୍ୟ ସେହି ପରିମାଣରେ ବଢି ଚାଲିଛି । ଏହି ସବୁ ବାଲିଘାଟରୁ ଏତେ ପରିମାଣର ବାଲି ବାହାର କରାଗଲାଣି ଯେ, ବର୍ଷା ଦିନେ ନଦୀ କୂଳ ମାଡିଯିବା ସହ ଗାଁ ଭିତରକୁ ପାଣି ପଶିଯିବାର ଭୟ ବି ଉପୁଜିଲାଣି । ବାଲି ଘାଟରୁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ବାଲି ଉଠାଯାଉଥିବା ବେଳେ ମାଲାମାଲ୍ ହେଉଛନ୍ତି ମାଫିଆ । ଆଉ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । କିନ୍ତୁ ସବୁ ଜାଣିଶୁଣି ନିଦାବିଷ୍ଣୁ ପାଲଟିଛି ପ୍ରଶାସନ ।