ସୁନା ଭାଉରେ ବିକ୍ରି ହେବ କି ବାଲି? ଜଗତସିଂପୁରରେ ନୂଆ ବାଲିଘାଟ୍ ନିଲାମୀ ପରେ ଉଠିଲା ପ୍ରଶ୍ନ: ୧୦ ଗୁଣା ଅଧିକ ଦାମରେ ନିଲାମ ହେଲା ବାଲିଘାଟ

ଗୋଟିଏ ହାଇୱା ବାଲିର ମୂଲ୍ୟ ହୋଇପାରେ ୬୦ ହଜାର । ବାହାରକୁ ବାଲି ଚାଲାଣ ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି ସାଧାରଣ ଲୋକ

1,011

କନକ ବ୍ୟୁରୋ: ବାଲିର ଭାଉ, ସୁନା ଭଳି ବଢିଯିବ କି ? ଏଭଳି ଏକ ଆଶଙ୍କା ସୃଷ୍ଟି ହୋଇଛି, ଜଗତସିଂହପୁରରେ ବାଲିଘାଟ ନିଲାମି ଘଟଣା ପରେ । ଅତ୍ୟନ୍ତ ଚଢା ଦରରେ ବାଲିଘାଟ ନିଲାମ ହୋଇଛି । ଏହାର ପ୍ରଭାବରେ ଆଉ କିଛି ଦିନ ମଧ୍ୟରେ, ଜିଲ୍ଲାରେ ଯେଉଁ ବାଲିଟ୍ରକ, ୫ ହଜାର ଟଙ୍କା ପଡୁଥିଲା, ସେହି ବାଲିଟ୍ରକ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡିଯାଇପାରେ । ଏଥିରୁ ଅନୁମାନ କରିହେବ, ସାଧାରଣ ଲୋକଙ୍କ ପାଇଁ ଘର ବନାଇବା କାଠିକର ପାଠ ହୋଇଯିବ । ଏବଂ କାହିଁକି ଏହି ବାଲିର ଦାମ ବଢିବ, ତା ପଛରେ ଆଉ ଏକ ରହସ୍ୟ ଲୁଚି ରହିଛି ବୋଲି କୁହାଯାଉଛି ।

ସୁନା ଦରରେ ବିକ୍ରି ହେବ କି ବାଲି? ଗୋଟିଏ ଟ୍ରକ ବାଲିର ଦାମ୍ ଟପିବ ୬୦ ହଜାର? ଏପରି ଏକ ସଂଦେହ ଉପୁଜିବାର କାରଣ ହେଉଛି, ଚଢ଼ା ଦରରେ ହୋଇଥିବା ଜଗତସିଂହପୁର ଜିଲ୍ଲା ବାଲିଘାଟ ନିଲାମ । ଜିଲ୍ଲାରେ ମୋଟ ୧୯ଟି ବାଲିଘାଟ ଥିଲା, ୧୧ଟି ନୂଆ ବାଲିଘାଟ ହୋଇଛି । ମୋଟ ୩୦ଟି ବାଲିଘାଟରୁ ପ୍ରାୟ ୨୦ଟି ଘାଟରେ ବାଲି ନିଲାମ ହୋଇସାରିଛି । ଏବେ ଯେଉଁ ଦରରେ ବାଲିଘାଟ ନିଲାମ ହେଉଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଗତସିଂହପୁରରେ ସବୁଠୁ ବଡ଼ ବାଲିଘାଟ ହେଉଛି ଆଳିପିଙ୍ଗଳ ବାଲିଘାଟ । ପୂର୍ବରୁ ଏହି ବାଲିଘାଟରେ ୮ ହଜାର ଘନମିଟର ବାଲି ନିଲାମ ହେଉଥିଲା । ପ୍ରତି ଘନମିଟର ବାଲିକୁ ୨୦୦ରୁ ୪୦୦ ଟଙ୍କାରେ ନିଲାମ ହେଉଥିଲା । ପାଖାପାଖି ୧୭ ଲକ୍ଷ ଟଙ୍କାରେ ନିଲାମ ହେଉଥିଲା ବାଲିଘାଟ । ଏବେ ଏହି ଘାଟରେ ଯେତିକି ଟଙ୍କାରେ ବାଲି ନିଲାମ ହୋଇଛି, ଜାଣିଲେ ଆପଣ ବିସ୍ମିତ ହୋଇଯିବେ । ୮ ହଜାର ଘନମିଟର ବାଲି ବଦଳରେ ଏଥର ୨୨ ହଜାର ଘନମିଟର ବାଲି ନିଲାମ କରାଯାଇଛି । ଆଉ ପ୍ରତି ଘନମିଟର ବାଲି ପ୍ରତି ୨୯୫୧ ଟଙ୍କା ଓ ରୟାଲିଟି ବାବଦରେ ଆଉ ୩୫ ଟଙ୍କା, ଏହିପରି ମୋଟ ୨୯୮୬ ଟଙ୍କାରେ ନିଲାମ ହୋଇଛି । ଯେଉଁ ଆଳିପିଙ୍ଗଳ ବାଲିଘାଟ ମାତ୍ର ୧୭ ଲକ୍ଷ ଟଙ୍କାରେ ପୂର୍ବରୁ ନିଲାମ ହେଉଥିଲା, ତାହା ଏବେ ପହଁଚି ଯାଇଛି ସାଢ଼େ ୭ କୋଟିରୁ ଅଧିକ ।

ହୁ ହୁ ହୋଇ ବଢ଼ିବ ବାଲି ଦର! ୧୦ ଗୁଣରୁ ଅଧିକ ହେବ ଗୋଟିଏ ଟ୍ରକ ବାଲି ଦାମ୍! ଗୋଟିଏ ଟ୍ରକ ବା ହାଇୱାରେ ୧୬ ଘନମିଟର ବାଲି ଧରିଥାଏ । ପୂର୍ବରୁ ୬ରୁ ୭ ହଜାର ଟଙ୍କାରେ ଏହା ବିକ୍ରି ହୋଇଥିଲା । ଏଥର ଉଚ୍ଚା ଦରରେ ନିଲାମ ହୋଇଥିବାରୁ ଏବେ ଏହି ଦାମ ୬୦ ହଜାରରୁ ଅଧିକ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଉଚ୍ଚା ଦାମରେ ନିଲାମ ହେବା ପଛରେ କ’ଣ ରହିଛି କାରଣ? ରାଜ୍ୟ ଓ ଦେଶ ବାହାରକୁ ବାଲିଚାଲଣ ପାଇଁ ହେଉଛି କି ଷଡ଼ଯନ୍ତ୍ର? ପୂର୍ବରୁ ଓଡ଼ିଶା ବାହାରକୁ ବାଲି ଯାଇପାରିବ ନାହିଁ ବୋଲି ନିୟମ ଥିଲା । ୨୦୧୮ରୁ ଏହି ନିୟମ ବଦଳିଛି । ନୂଆ ନିୟମ ପରେ କିଙ୍ଗ ମେଟାଲ୍ସ ଆଣ୍ଡ ଆଲୟଜ୍ ଲିମିଟେଡ୍ ନାମକ ଚେନ୍ନାଇର ଏକ ସଂସ୍ଥା ଗୋପାଳପୁର ବନ୍ଦର ଦେଇ ପୋର୍ଟବ୍ଲେୟାରକୁ ବାଲିଚାଲଣ କରିଥିଲା । ନିକଟରେ ସେହି କଂପାନୀ, ପାରାଦୀପ ପୋର୍ଟ ଦେଇ ବାହାରକୁ ବାଲି ଚାଲଣ କରିବାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଆବେଦନ କରିଛି । ଏହାକୁ ଆଖି ଆଗରେ ରଖି ଚଢ଼ା ଦରରେ ବାଲି ନିଲାମ ହୋଇଥିବା ଆଶଙ୍କା କରାଯାଉଛି ।

ବାଲିଘାଟ ନିଲାମ ଚଢ଼ା ଦାମରେ ହୋଇଥିବାରୁ ବାଲି ଅମୂଲ ମୂଲ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି, କାହିଁକି ନିଲାମ ଅଧିକ ଟଙ୍କାରେ ହେଲା, ଏ ନେଇ ଯାଂଚ କରାଯିବ । ବାଲି ଦର ଯଦି ଏପରି ବଢ଼େ, ସବୁଠୁ ବଡ଼ ଅଡୁଆ ସୃଷ୍ଟି ହେବ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା ଘର । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ଇନ୍ଦିରା ଆବାସ ଯୋଜନା । ଦୁଇ ଟ୍ରକ ବାଲିକୁ ଅଂଟିବ ନାହିଁ ସରକାର ଦେଉଥିବା ସହାୟତା ରାଶି । ସାଧାରଣ ଲୋକ ଘର କରିବାକୁ ସ୍ୱପ୍ନ ଦେଖିବ ସିନା, ଘର ତିଆରି କରିବାକୁ ସାହାସ ଜୁଟାଇ ପାରିବନି ।