କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇ ତହସିଲ ଅନ୍ତର୍ଗତ ସୀମାନ୍ତ ଗାଁ ମାନକୁଣ୍ଡର ଅଞ୍ଚଳ । ଯୁଆଡେ ଚାହିଁବ ସିଆଡେ ବଡ ବଡ ଗାତ । ୧୫ରୁ ୨୦ ଫୁଟର ଗାତରେ ପାଣି ଜମି ପୋଖରୀରେ ପରିଣତ ହୋଇଛି । ପ୍ରତିଦିନ ଶହ ଶହ ଗାଡି ଟ୍ରିପ ଟ୍ରିପ କରି ବାଲି ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ରାତାରାତି ବାଲି ନେଇ ଚଢା ଦାମରେ ବିକ୍ରି କରି ବାଲି ମାଫିଆ ମାଲାମାଲ ହେଉଥିବା ବେଳେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ । କେବଳ ମାନକୁଣ୍ଡା ଗାଁ ନୁହେଁ, ଅନଳିଆ, ନସରାବାଦ ଏବଂ ହଡକି ଗାଁରେ ମଧ୍ୟ ସରକାରୀ ଜମିରୁ ବାଲି ମାଫିଆ ବେଆଇନ୍ ଭାବେ ଏପରି ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି ।

Advertisment

ଦୀର୍ଘଦିନ ହେବ ଏପରି ବେଆଇନ୍ ବାଲି କାରବାର ଚାଲିଛି । ପ୍ରାୟ ୫୦ ଏକର ଗୋଚର, ଅନବାଦୀ ଓ ଗ୍ରାମ୍ୟ ଜଙ୍ଗଲରୁ ଜେସିବି ସାହାଯ୍ୟରେ ବାଲି ଖୋଳି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଛି । ଏହାଦ୍ୱାରା ରାଜ୍ୟର ଲଘୁ ଖଣିଜ ସଂପଦ ହ୍ରାସ ଘଟୁଥିବା ବେଳେ ବାଲି ମାଫିଆଙ୍କ ପକେଟ ଗରମ ହେଉଛି । ସୂଚନା ଅନୁସାରେ ୬ ମାସରେ ଆନୁମାନିକ ୨ କୋଟି ଟଙ୍କାର ବାଲି ଚୋରା ଚାଲାଣ ହେଉଛି । ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କଲେ ବାଲି ମାଫିଆ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏବେ ବାଲି ମାଫିଆଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବଡ କଥା ହେଉଛି ଦୀର୍ଘ ଦିନ ଧରି ବେଧଡକ ବାଲି ଚୋରା ଚାଲାଣ ହେଉଛି ହେଲେ ଏବେ ପ୍ରଶାସନ କହୁଛି ଏକ ରିପୋର୍ଟ ପ୍ରସ୍ତୁତ କରି ତଦନ୍ତ କରିବାକୁ ଖଣିଜ ସଂପଦ ବିଭାଗକୁ ନିବେଦନ କରିବୁ ।